ରାଉରକେଲା, (କେପିଏନ୍ଏସ୍) : ଆସନ୍ତା ୬ ତାରିଖ ଦିନ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଝାଡ଼ଖଣ୍ଡ ପଟୁ ଓଡ଼ିଶାରେ ପହଞ୍ଚିବେ । ଏହି କ୍ରମରେ ଫେବୃଆରୀ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସାଂସଦ ତାଙ୍କ ଯାତ୍ରା ସମ୍ପର୍କରେ ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ରାଉରକେଲା ସହରର ରାଉରକେଲା ହାଉସ୍ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯାତ୍ରା ସମ୍ପର୍କରେ ସୂଚନା ଦିଆଯାଇଛି । ଶ୍ରୀ ଗାନ୍ଧୀ ୬ ତାରିଖ ଅପରାହ୍ନରେ ଝାଡଖଣ୍ଡର ବାଂସଜୋର ଓଡିଶାର ବୀରମିତ୍ରପୁରଠାରେ ପହଞ୍ଚିବେ । ଏହି ସମୟରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଓ ତାଙ୍କ ସହଯୋଗୀମାନଙ୍କୁ ଯାତ୍ରାର ପତାକା ହସ୍ତାନ୍ତର କରିବା ସହିତ ସାନ୍ଧ୍ୟ ବିରତି ନେବେ। ସେ ବିଜାବାହାଲ- ରାମପାଲଠାରେ ରାତ୍ରି ଯାପନ କରିବେ। ୭ ତାରିଖ ସକାଳରେ ସେଠାରୁ ବାହାରି ସକାଳ ୯ଟା ୩୦ ସମୟରେ ଉଦିତନଗରରେ ପହଞ୍ଚିବେ । ଏହି ସମୟରେ ସେ ପଦଯାତ୍ରାରେ ବାହାରି ପାନପୋଷ ଛକରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସାଂସଦ ଶ୍ରୀ ଗାନ୍ଧୀ ରାଜଗାଙ୍ଗପୁର ଅଭିମୁଖେ ବାହାରି ରାଣୀବନ୍ଧ ସ୍ଥିତ ବିର୍ସା ମୁଣ୍ଡା ପଡିଆରେ ମଧ୍ୟାହ୍ନ ବିରତି କରିବେ । ସେଠାରେ ଅପରାହ୍ନ ସମୟରେ ଯାତ୍ରା ଆରମ୍ଭ କରିବା ସହିତ ଜନସମ୍ବୋଧନ କରିବେ । ଏହାପରେ କୁତ୍ରା ଏବଂ ପରେ ବଡଗାଁଠାରେ ଶ୍ରୀ ଗାନ୍ଧୀଙ୍କୁ ଅଭ୍ୟର୍ଥନା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୪ଟା ୩୦ମିନିଟ ସମୟରେ ସାଂସଦ ଶ୍ରୀ ଗାନ୍ଧୀ ସୁନ୍ଦରଗଡ ବସ୍ଷ୍ଟାଣ୍ଡ ଛକରେ ପହଞ୍ଚି ଏକ ପଦଯାତ୍ରାରେ ବାହାରି ଷ୍ଟାଡିୟମ୍ ଛକରେ ଜନସମ୍ବୋଧନ କରିବେ । ଏହା ସହିତ ସେଠାରେ ସାନ୍ଧ୍ୟ ବିରତି ନେବା ସହିତ ଶ୍ରୀ ଗାନ୍ଧୀ ଝାରସୁଗୁଡ଼ା ଅଭିମୁଖେ ଯାତ୍ରା କରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଅଭିଷେକ ମହାନନ୍ଦ, ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ସଭାପତି ରଶ୍ମିରଞ୍ଜନ ପାଢୀଙ୍କ ସମେତ ଅନ୍ୟ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ ।