ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀରାମଲାଲାଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସମଗ୍ର ଭାରତ ବର୍ଷ ହର୍ଷୋଲ୍ଲାସର ସହ ପାଳନ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ସମସ୍ତ ଗାଁ ଗାଁ ଘରେ ଘରେ ରାମମୟ ପରିବେଶ ସୃଷ୍ଟି ହୋଇଛି । ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିରରୁ ବଡି ଭୋରରୁ ସମସ୍ତ ପୁରୁଷ ଓ ମହିଳା ଶ୍ରଦ୍ଧାଳୁମାନେ ଶୋଭାଯାତ୍ରାରେ ବାହାରି ସଙ୍କୀର୍ତ୍ତନ୍ୟ ସହ ପ୍ରଭାତ ଫେରି କରିଥିଲେ । ଏହାପରେ ମନ୍ଦିରରେ ସୂର୍ଯ୍ୟ ପୂଜା, ଗୋ-ପୂଜା, ଯଜ୍ଞ ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହିତ ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ଓ ଦୁର୍ଗା ବାହିନୀ ସଦସ୍ୟଙ୍କ ସହ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସନ୍ଧ୍ୟାରେ ବଜରଙ୍ଗ ଦଳର ସଦସ୍ୟମାନଙ୍କ ଦ୍ଵାରା ବୁଲ୍ଡୋଜର୍ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲା । ପରେ ସମସ୍ତେ ମନ୍ଦିରରେ ଦୀପଜାଳି ଉତ୍ସବ ପାଳନ କରିଥିଲେ । ସେହିପରି ହଳଦୀ, ଘଣ୍ଟବାହାଲ ଓ ଯମୁନା ସମେତ ବ୍ଲକର ସମସ୍ତ ୨୨ଟି ପଞ୍ଚାୟତର ଗାଁଗଣ୍ଡାରେ ଥିବା ମନ୍ଦିରଗୁଡିକରେ ପୂଜାର୍ଚ୍ଚନା ସହ ରୀତିନୀତି ଅନୁସାରେ ଦୀପଦାନ, ପାରାୟଣ ଓ ସନ୍ଧ୍ୟାରେ ପ୍ରତି ଘରେ ଘରେ ଦୀପଜାଳି ରାମମୟ ଭକ୍ତି ପରିବେଶରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।