csstore

ଟୋକୀ ପର୍ବ ଏକ ନିଆରା ପର୍ବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଦିବାସୀ ସଂସ୍କୃତିର ମହାନ ପର୍ବ ଟୋକୀ ମରା ପର୍ବ ରବିବାର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ସଂସ୍କୃତି ଓ ପରମ୍ପରାରେ ମାଟିକୁ ମାତା ଏବଂ ସୂର୍ଯ୍ୟଙ୍କୁ ପିତା ବୋଲି ବିଶ୍ୱାସ କରାଯାଏ । ମାଟି? ମାତାଙ୍କୁ ସନ୍ତୁଷ୍ଟ କରି ଭଲ ଅମଳ, ଭଲ ସ୍ୱାସ୍ଥ୍ୟ ଏବଂ ଶାନ୍ତିରେ ଜୀବନ ଯାପନ କରିବାପାଇଁ ଆବାହମାନ କାଳରୁ ଆଦିବାସୀମାନେ ଟୋକୀମରା ପର୍ବ ପାଳନ କରିଆସୁଛନ୍ତି । ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକର ତୋତ୍ରା ଗୁଡା, ଖଣ୍ଡି ଡ଼ଙ୍ଗରି ଗୁଡା ଓ ମାଟିଆପଡା, ଥୁଆମୂଳ ରାମପୁର ବ୍ଲକର ତଲଝାପି, ନୀଚେମସ୍କା, ଖମାର ପଦର, ତୁନାପାରି, କନ୍ଦାଝାପି, ତୁକଗୁଡା, କିରକିଚା, କାଠଘରା ଆଦି ଗ୍ରାମରେ ଟୋକୀମରା ପର୍ବ ପାଳନ କରାଯାଇଛି । ମାଟି ମା’ଙ୍କୁ ସନ୍ତୁଷ୍ଟ କରିବାପାଇଁ ପୂର୍ବକାଳରେ ଏକ ଟୋକୀ (କୁଆଁରୀ କନ୍ୟା)କୁ ଧରଣୀ ଗୁଡ଼ି ନିକଟରେ ବଳି ପ୍ରଦାନ କରାଯାଉଥିବା ଜନଶ୍ରୁତି କହେ । ତେଣୁ ଏହି ପର୍ବକୁ ଟୋକୀମରା ପର୍ବ ନାମରେ ନାମିତ କରାଯାଇଛି । ଆଧୁନିକତାର ପରିବର୍ତ୍ତନରେ ଟୋକୀ ବଦଳରେ ଏକ ଅଣ୍ଡିରା ମେଣ୍ଢାକୁ ଟୋକୀର ପ୍ରତୀକ ଭାବେ ବଳି ପ୍ରଦାନ କରାଯାଉଛି । ପୌଷ ପୂର୍ଣ୍ଣିମା ପୂର୍ବବର୍ତ୍ତୀ ଏକ ରବିବାର ଦିନ ଏହି ପର୍ବ ପାଳନ କରାଯାଏ । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଏହି ପର୍ବରେ ଆଦିବାସୀ ସାମ୍ପ୍ରଦାୟର ଲୋକଙ୍କ ସହ ଅନ୍ୟ ଗ୍ରାମବାସୀମାନେ ମଧ୍ୟ ସାମିଲ ହୋଇ ପର୍ବ ପାଳନ କରନ୍ତି । ପ୍ରଚଳିତ ପ୍ରଥା ଅନୁଯାୟୀ ଟୋକୀ ପର୍ବ ପାଳନ କରାଯାଉଥିବା ଗ୍ରାମ ନିକଟବର୍ତ୍ତୀ ଆଦିବାସୀ ସାମ୍ପ୍ରଦାୟର ଲୋକେ ଯାନୀଙ୍କ ନେତୃତ୍ୱରେ ପାରମ୍ପରିକ ବେଶଭୁଷାରେ ସଜ୍ଜିତ ହୋଇ ବିଭିନ୍ନ ଅସ୍ତ୍ର ଶସ୍ତ୍ର ଧରି ପରବ ବାଜାର ତାଳେ ତାଳେ ନୃତ୍ୟ କରି ଟୋକୀ ପର୍ବକୁ ଯାଇଥାନ୍ତି । ସେଠାରେ ଧରଣୀ ନିକଟକୁ ନେବା ସମୟରେ ବଳି ଉଦ୍ଦେଶ୍ୟରେ ଥିବା ଅଣ୍ଡିରା ମେଣ୍ଢାର ମାଂସକୁ ବୀରତ୍ୱ ପ୍ରଦର୍ଶନ କରି ଆଣିଥାନ୍ତି । ସେହି ମାଂସକୁ ନିଜ ଗ୍ରାମର ଚାଷ ଜମିରେ ଭଲ ଅମଳ, ଗ୍ରାମର ମଙ୍ଗଳ କାମନା କରି ପୋତିଥାନ୍ତି । ହଜାର ହଜାର ସଂଖ୍ୟାରେ ଲୋକେ ଟୋକୀ ପର୍ବକୁ ଉପଭୋଗ କରନ୍ତି । ଚଳିତ ବର୍ଷ ତୋତରାଗୁଡା, ଖଣ୍ଡି ଡ଼ଙ୍ଗରି ଗୁଡା ଆଦି ଗ୍ରାମରେ ୧୦ରୁ ୧୫ ହଜାର ଲୋକଙ୍କ ସମାଗମ ହୋଇଥିଲା । ସୁରକ୍ଷା ପାଇଁ କଲମପୁର ଓ ଜୟପାଟଣା ପୋଲିସ ନିୟୋଜିତ ହୋଇଥିଲେ ।

jayashree
Leave A Reply

Your email address will not be published.