କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଚାରି ଦଫା ଦାବି ନେଇ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ପ୍ରାଣୀ ଚିକିତ୍ସକ ସାମୁହିକ ଛୁଟି ନେଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବସିଛନ୍ତି । ଫଳରେ ପ୍ରାଣୀ ଚିକିତ୍ସା ସେବା ବ୍ୟାହତ ହୋଇଛି । ଯାହାକୁ ନେଇ ଚାଷୀମାନେ ଚିନ୍ତିତ ହୋଇ ପଡିଛନ୍ତି । ସୂଚନାନୁଯାୟୀ, ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ସରକାରଙ୍କୁ ଦାବି କରି ଆସୁଛନ୍ତି । କିନ୍ତୁ ସରକାର ସେମାନଙ୍କ ଦାବି ଗୁଡିକୁ ଅଣଦେଖା କରୁଥିବା ଅଭିଯୋଗ କରିଛି ଓଡିଶା ପ୍ରାଣୀ ଚିକିତ୍ସକ ସଂଘ । ପୂର୍ବରୁ ମଧ୍ୟ ଗତ ମେ ମାସ ୪ ତାରିଖରେ ପ୍ରାଣୀ ଚିକିତ୍ସକମାନେ ସାମୁହିକ ଇସ୍ତଫା ପ୍ରଦାନ କରିଥିଲେ । ସେହି ସମୟରେ ଏକ ସ୍ୱତନ୍ତ୍ର ସଭାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀ ଚିକିତ୍ସକମାନଙ୍କ ସହ ଆଲୋଚନ କରି କାର୍ଯ୍ୟରେ ଯୋଗଦାନ କରିବା ପାଇଁ ନିବେଦନ କରାଯାଇଥିଲା । ସମ୍ମାନ ରକ୍ଷା ପାଇଁ ପ୍ରାଣୀ ଚିକିତ୍ସକମାନେ କାର୍ଯ୍ୟରେ ଯୋଗ ଦେଇଥିଲେ । ଇତି ମଧ୍ୟରେ କିଛି ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ ନ ହେବାରୁ ଜାନୁଆରୀ ୧୭ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ସାମୁହିକ ଛୁଟିରେ ରହିବା ପାଇଁ ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ଚେତାବନୀ ଦିଆ ଯାଇଥିଲା । ତାହା ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ପ୍ରାଣୀ ଚିକିତ୍ସକମାନେ ସାମୁହିକ ଛୁଟି ନେଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଦାବିମାନଙ୍କ ମଧ୍ୟରେ ପ୍ରାଣୀ ଚିକିତ୍ସା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଯଥା ୨୪ଘଣ୍ଟା ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା ବ୍ୟବସ୍ଥା, ଜଟିଳ ରୋଗାକ୍ରାନ୍ତ ପ୍ରାଣୀମାନଙ୍କ ସ୍ଥାନାନ୍ତର ବ୍ୟବସ୍ଥା, ନିଶୁଳ୍କ ସେବା । ଓଡ଼ିଶାରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ସହ ସମାନ ପଦୋନ୍ନତି । ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ହାରରେ ଏନ୍ପିଏ ପ୍ରଦାନ । ରାଜ୍ୟରେ ପ୍ରାଣୀ ଗଣନା ଓ ଜନ ସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି ଓ କ୍ୟାଡର ପୁନର୍ଗଠନ ଦାବି କରାଯାଇଛି । ଏହି ଦାବି ଗୁଡିକ ପୂରଣ ନ ହେବାଯାଏ ସାମୁହିକ ଛୁଟିରେ ରହିବା ପାଇଁ ସଂଘ ଚେତାବନୀ ଦେଇଛି । ଏପରିକି ସାମୁହିକ ଛୁଟିରେ ଥିବାରୁ ପ୍ରାଣୀ ଚିକିତ୍ସା ବ୍ୟାଘାତ ହେଉଥିବାରୁ ଚାଷୀମାନଙ୍କୁ ସହଯୋଗ କରିବା ପାଇଁ ସଂଘ ନିବେଦନ କରିଛି ।