- ମୃତବ୍ୟକ୍ତିଙ୍କ ନାମରେ ପିଡ଼ିଏସ୍ ଉଠାଇ ହଡ଼ପ ଅଭିଯୋଗ
- ଶିକ୍ଷା, ପଶୁସମ୍ପଦ,ଜଙ୍ଗଲ ଓ ମତ୍ସ୍ୟ ବିଭାଗ ସହ ବହୁ ବିଭାଗୀୟ ଅଧିକାରୀଙ୍କ ବୈଠକରେ ଅନୁପସ୍ଥିତିକୁ ନେଇ ଜନପ୍ରତିନିଧିଙ୍କ ତୀବ୍ର ଅସନ୍ତୋଷ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଭାଗୃହରେ ପଞ୍ଚାୟତ ସମିତିର ପଞ୍ଚମ ଦ୍ଵିମାସିକ ସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୃତବ୍ୟକ୍ତିଙ୍କ ନାମରେ ପିଡିଏସ ସାମଗ୍ରୀ ଉଠାଇ ବର୍ଷ ବର୍ଷ ଧରି ହଡ଼ପ, ଶିକ୍ଷା, ପଶୁସମ୍ପଦ, ଜଙ୍ଗଲ ଓ ମତ୍ସ୍ୟ ବିଭାଗ ଭଳି ବହୁ ବିଭାଗୀୟ ଅଧିକାରୀ ବୈଠକରେ ଅନୁପସ୍ଥିତ ତଥା କେତେକ ଅଧସ୍ତନ କର୍ମଚାରୀଙ୍କୁ ବୈଠକକୁ ପଠାଉଥିବା ଯୋଗୁଁ ଲୋକ ପ୍ରତିନିଧିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସଭାପତତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ସଦସ୍ୟା ନିରୁପମା ଗହୀର, ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ସାଂସଦ ପ୍ରତିନିଧି ସିଦ୍ଧେଶ୍ୱର ଦାସ, ଶ୍ରୀବତ୍ସ ବେହେରା, ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି, ଏଇଇ ଅବିନାଶ ମୁଦି, ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, ମେଡିକାଲ ଇନଚାର୍ଜ ଡ ଥବୀର ମେହେର, ଇଲେକଟ୍ରିକାଲ ସେକ୍ସନ ଅଫିସର ମହମ୍ମଦ ଜୁନୈଦ, ଏଏଓ ଗୁଲସନ ମହନ୍ତ, ଅବିନାଶ ପାଣିଗ୍ରାହୀ, ଯୋଗାଣ ନିରୀକ୍ଷକ ଅବିନାଶ ବିଶି, ବ୍ଲକ ସରପଞ୍ଚ ସଙ୍ଘ ସଭାପତି ବିଶ୍ୱବିହାରୀ ଯୋଶୀ, ସରପଞ୍ଚ କାଳିଆ ସରାଫ, ରାମଦାସ ମହାକୁର, ଶୁକମଣି ପୁଟେଲ, ପ୍ରିୟବ୍ରତ ପ୍ରଧାନିଙ୍କ ସହ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ତୋଫାନ ନାଗ, ଭୀମସେନ ବାଗ, ଟୁନାମଣି ମହାନନ୍ଦ, ସନ୍ୟାସୀ ପୁଟେଲ, ଦୁଷ୍ମନ୍ତ ନାଗଙ୍କ ସହ ସମସ୍ତ ସମିତି ସଭ୍ୟା ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିପିଇଓ ଏନଜେ ଥିଓଫିଲ ପୂର୍ବ ବୈଠକର ବିବରଣୀ ପଠନ ସହ ବୈଠକର ସଂଯୋଜନା କରିଥିଲେ । ବୈଠକରେ ସ୍ଵାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, କୃଷି ବିଭାଗ, ବିଦ୍ୟୁତ ବିଭାଗର ସମୀକ୍ଷା ସହ ଆଲୋଚନା କରାଯାଇଥିଲା । କୃଷି ବିଭାଗ ପକ୍ଷରୁ ଚାଷୀଙ୍କ ପାଇଁ ଆସିଥିବା ମୁଗ ସହ ବିଭିନ୍ନ ପ୍ରକାରର ବିହନ ବଣ୍ଟନରେ ବ୍ୟାପକ ଅନିୟମିତତା ତଥା ଏଥିରେ ଲୋକ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ଇଚ୍ଛାପଡ଼ା ସମିତି ସଭ୍ୟ ତୋଫାନ ନାଗ ଅଭିଯୋଗ କରିଥିଲେ । ସେ ବ୍ଲକର ବିଭିନ୍ନ ପଞ୍ଚାୟତରେ ମୃତ୍ୟୁବରଣ କରି ସାରିଥିବା ଲୋକଙ୍କ ନାଁରେ ରାସନ ସାମଗ୍ରୀ ଉଠାଇ ହଡ଼ପ କରାଯାଉଥିବା ବେଳେ ନୂତନ ରାସନ କାର୍ଡରେ ହିତାଧିକାରୀଙ୍କୁ ସଂଶୋଧିତ ରାସନ ମିଳୁନଥିବା ମଧ୍ୟ ଅଭିଯୋଗ କରିଥିଲେ । ଗୁଡ଼ିଘାଟ ପିଏଚ୍ସି କୋଠାର ଛାତ ଅତ୍ୟନ୍ତ ବିପଦ ସଙ୍କୁଳ ଥିବା ବେଳେ ତାହା କେତେ ବେଳେ ମଧ୍ୟ ଭାଙ୍ଗିଯିବ ବୋଲି ମେଡିକାଲ ଇନଚାର୍ଜ ଡ. ଥବୀର ମେହେର ପ୍ରକାଶ କରି ଏହାକୁ ତୁରନ୍ତ ମରାମତି କରିବାକୁ ଦାବୀ କରିଥିଲେ । ବିଭିନ୍ନ ଉନ୍ନୟନ ଯୋଜନାରେ ପୂର୍ବରୁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରାଯାଇନଥିବାରୁ ସଦର ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣାଙ୍କ ସହ ଉପସ୍ଥିତ ସମିତି ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରି ବିଭିନ୍ନ ଯୋଜନାରେ ବାଦ ପଡ଼ିଥିବା ଗାଁଗୁଡ଼ିକୁ ସାମିଲ କରିବା ପାଇଁ ଦାବୀ କରିଥିଲେ । ଅର୍ଦ୍ଧନିର୍ମିତ ଅଙ୍ଗନୱାଡ଼ି କୋଠାକାମଗୁଡ଼ିକ ସମ୍ପୂର୍ଣ୍ଣ ଓ ସମସ୍ତ କେନ୍ଦ୍ରକୁ ବିଦ୍ୟୁତ୍ ସଂଯୋଗ ପାଇଁ ଭାରପ୍ରାପ୍ତ ସିଡ଼ିପିଓ ବାସନ୍ତୀ ଭୋଇ ସଭାରେ ଅନୁରୋଧ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟାମାନଙ୍କ ପକ୍ଷରୁ ପ୍ରସ୍ତାବିତ ନଳକୂଅ ଖୋଲିବା ବିଳମ୍ବକୁ ନେଇ ଉପାଧ୍ୟକ୍ଷା ମିଥିଳା ମାଝୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସରକାର ଦେଢ଼ ବର୍ଷ ହେଲା ନଳକୂଅ ଖୋଲିବା ପ୍ରକ୍ରିୟା ବନ୍ଦ କରି ଦେଇଥିବା ବିଧାୟକ ଶ୍ରୀ ସାଲୁଜା ସୂଚନା ଦେଇଥିଲେ । ବାଙ୍କେଲ ବୃହତ ମେଗା ଜଳ ଯୋଗାଣ ପ୍ରକଳ୍ପରୁ ବ୍ଲକର ୭ଟି ପଞ୍ଚାୟତର ୩୩ଖଣ୍ଡ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆରଡବ୍ଲୁଏସ୍ଏସ୍ ଏଇ ସରୋଜ କୁମାର ସେଠ ସୂଚନା ଦେଇଥିଲେ । ପତ୍ରାପାଲି(ଖ), ରେଙ୍ଗାଲି ସହ ବହୁ ଗ୍ରାମରେ ଦୀର୍ଘ ଦିନ ଧରି ନଳକୂଅଗୁଡ଼ିକ ଅଚଳ ଥିବା ସମିତି ସଭ୍ୟମାନେ ଅଭିଯୋଗ କରିଥିଲେ । ଲୋକ ପ୍ରତିନିଧିଙ୍କ ବିଭିନ୍ନ ବିଭାଗୀୟ ପ୍ରଶ୍ନର ଉତ୍ତର ଉପସ୍ଥିତ ସଂପୃକ୍ତ ଅଧିକାରୀମାନେ ଦେଇଥିଲେ ମଧ୍ୟ ଏଥିରେ ସେମାନେ ସନ୍ତୁଷ୍ଟ ନଥିବା ଦେଖିବାକୁ ମିଳିଥିଲା । ଜିପିଇଓ ଶ୍ରୀ ଥିଓଫିଲ ଶେଷରେ ଧନ୍ୟବାଦ୍ ଦେଇଥିଲେ ।