ରାଉରକେଲା, (ସସ୍ମିତା ପ୍ରଧାନ) : କଳିଙ୍ଗ କଳା ପରିଷଦ ଆନୁକୂଲ୍ୟରେ ୧୬ତମ ବହୁଭାଷୀ ଲଘୁ ନାଟକ ମହୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଉଦ୍ଘାଟିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା ଆର୍ଏସ୍ପିର ପ୍ରକଳ୍ପ ନିର୍ବାହୀ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତା ଓ ଲୋକ ସଂପର୍କ ଅଧିକାରୀ ବିଭୁ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବକୁ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଶିଶୁମାନଙ୍କ ମଧ୍ୟରେ ଏହି ନାଟକ ମହୋତ୍ସବ ଦୀର୍ଘ ଦୁଇ ଦଶନ୍ଧି ଧରି ସଫଳ ଭାବରେ ଆୟୋଜନ କରି ଆସୁଥିବାରୁ ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଭୌମିକଙ୍କୁ ରାଉରକେଲା ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ମୁଖ୍ୟ ମହାପ୍ରବନ୍ଧକ କାର୍ତ୍ତିକେୟ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଉମାକାନ୍ତ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ସନ୍ଧ୍ୟାରେ ଅନୁଷ୍ଠିତ, ପ୍ରଥମ ନାଟକ ମଧୁର ବିଶ୍ବାସକୁ ଦିଲ୍ଲୀ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ । ଦୁନିଆରେ ପ୍ରତ୍ୟେକ ବାପା ମା’ ଚାହାଁନ୍ତି କି ତାଙ୍କ ପିଲାମାନେ ଭଲ ମଣିଷ ଟିଏ ହୁଅନ୍ତୁ । ଭଲ କାମ କରି ବାପା ମା’ଙ୍କ ସମ୍ମାନ ରଖନ୍ତୁ । ଅବାଟରୁ ସନ୍ତାନଙ୍କୁ ଫେରାଇ ଆଣିବା ପାଇଁ ସେମାନେ ଅହରହ ଚେଷ୍ଟା କରି ଏକ ମଧୁର ବିଶ୍ୱାସ ସୃଷ୍ଟି କରିଥାନ୍ତି । ଏହିଭଳି ଏକ ମନଛୁଆଁ ବିଷୟକୁ ନେଇ ଦିଲ୍ଲୀ ପବ୍ଲିକ ସ୍କୁଲର ନାଟକ ବେଶ୍ ଉପଭୋଗ୍ୟ ହୋଇଥିଲା । ଏହି ନାଟକକୁ ରଚନା କରିଥିଲେ ପ୍ରଭାକର ପାତ୍ର ଏବଂ ନିର୍ଦେଶନା ଦେଇଥିଲେ ପ୍ରମିଳା ଜେନା । ସଙ୍ଗୀତ ନିର୍ଦ୍ଦେଶନାରେ ଥିଲେ ଅମିତ୍ରାଶୁ ବିଶୋଇ, ମଞ୍ଚସଜ୍ଜାରେ ଦ୍ୱିବେନ୍ଦୁ କୁଣ୍ଡୁ ସହଯୋଗ କରିଥିବା ବେଳେ ନାଟକରେ ସର୍ବଶ୍ରୀ ଅଭିଷେକ ତ୍ରିପାଠୀ, ପ୍ରୀତମ ରଣା, ରବି ନାରାୟଣ ସୁନା ପ୍ରୟାସ ପ୍ରଜ୍ଞା ଦାସ, ରୋହିତ କୁମାର ଶର୍ମା, ଅଂଶୀକା ତରାଇ ଅନ୍ୱେଶା ପାତ୍ର, ଦେବଲୀନା କୁଣ୍ଡୁ, ସୋନାଲି ମହନ୍ତ, ତନିମା ଦାସ, ପୂଜା ସୋନା ପ୍ରମୁଖ ଅଭିନୟ କରିଥିଲେ । ସେହିପରି ଦ୍ୱିତୀୟ ନାଟକ ଭୁଲ୍ କାହାରକୁ ପରିବେଷଣ କରିଥିଲେ ସେଣ୍ଟ ପଲ ସ୍କୁଲର ଛାତ୍ରଛାତ୍ରୀମାନେ । ଅତ୍ୟାଧୁନିକ ସଭ୍ୟତାରେ ପରିବାରର ମୁଖ୍ୟ ବ୍ୟସ୍ତ ହୋଇ ପଡନ୍ତି । ନିଜର ପରମ୍ପରା ଏବଂ ସଂସ୍କୃତିକୁ ଭୁଲିଯାଇଛନ୍ତି ବୋଲି । ଏହାକୁ ନେଇ ନାଟକଟି ଗତିଶୀଳ ହୋଇଛି । ଅତି ଚମତ୍କାର ଭାବରେ ଅଭିନୟ କରିଥିଲେ ସୌମ୍ୟରଞ୍ଜନ ସ୍ଵାଇଁ, ଶୁଭାଶିଷ ପରିଡା, ରୋନକ ପାତ୍ର, ରିତିକ୍ ମହାରଣା, ଅନ୍ଵେଷ ରଞ୍ଜନ ପ୍ରଧାନ, ଆଶିଷ ମହାପାତ୍ର, କଳ୍ପିତା ରଥ, ପ୍ରିୟଦର୍ଶୀ ପ୍ରୀତି ପୃଷ୍ଟି । ରଚନା ଏବଂ ନିର୍ଦ୍ଦେଶନା ରୁଦ୍ରାଣୀ ଦାଶ ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶ୍ଵପ୍ରିୟ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ପରିଷଦର ପ୍ରଶାନ୍ତ କୁମାର ପୁହାଣ, ଜୟନ୍ତ କୁମାର ମହାପାତ୍ର, ହରିଶ ଚନ୍ଦ୍ର ମହାନ୍ତି, ଅର୍ଚ୍ଚନା ଶତପଥୀ, କ୍ଷଣପ୍ରଭା ଷଡ଼ଙ୍ଗୀ, ସ୍ମିତା ମିଶ୍ର, ସୌମ୍ୟରଞ୍ଜନ ଜେନା, କ୍ରୀଷ୍ଣା ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ପରିଚାଳନାରେ ସର୍ବଶ୍ରୀ ଦେବ କୁମାର, ଅଙ୍କିତା ଅରଖ, ଲିପ୍ସା ନାୟକ, ହରିଶ ମହାନ୍ତି, ଆଶିଷ ଦାସ, ବାସୁଦେବ, ପ୍ରଳୟ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ ।
Next Post