ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପୁରାତନ ଛାତ୍ର ସାର୍ଥକ ନିକଟରେ ଓଡିଶା ଖଣି ନିଗମରେ ପର୍ସୋନେଲ ଏବଂ ଆଡମିନିଷ୍ଟ୍ରେସନ୍ ବିଭାଗରେ ଡେପୁଟି ମ୍ୟାନେଜର (ଉପ-ପରିଚାଳକ) ଭାବେ ଯୋଗ ଦେଇଛନ୍ତି । ସଂପ୍ରତି ସେ ରାୟଗଡା ସ୍ଥିତ ଦକ୍ଷିଣାଞ୍ଚଳ ରିଜିଓନାଲ ଅଫିସରେ ଅବସ୍ଥାପିତ ଅଛନ୍ତି । ଓଡିଶାର ଖଣି ମାନଚିତ୍ରରେ ଦକ୍ଷିଣାଞ୍ଚଳରେ ଥିବା ରାୟଗଡା, କୋରାପୁଟ, କଳାହାଣ୍ଡି ଆଦି ଜିଲ୍ଲା ଗୁଡିକର କର୍ମଚାରୀ ପରଚାଳନା, ସମନ୍ୱିତ ବିକାଶ, ସାମାଜିକ ଦାୟିତ୍ୱବୋଧ ସମେତ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଓ ଏହାର ଅଧିବାସୀଙ୍କ ସର୍ବାଙ୍ଗିନ ଉନ୍ନତି ଆଦି ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଅଛି । ସାର୍ଥକ ଏହା ପୂର୍ବରୁ ଅନୁଗୁଳ ସ୍ଥିତ ଜିନ୍ଦଲ ଏଣ୍ଡ ପାୱାରଠାରେ ମାନବ ସମ୍ବଳ ବିଭାଗରେ କାର୍ଯ୍ୟ କରୁଥିଲେ । ବଲାଙ୍ଗିର କଦମପଡା ସରସ୍ୱତୀ ଶିଶୁ ମନ୍ଦିରର ପୂର୍ବଛାତ୍ର ସାର୍ଥକ ୨୦୧୧ ମସିହା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପରବର୍ତ୍ତୀ ସମୟରେ ସ୍ଥାନୀୟ ରାଜେନ୍ଦ୍ର ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନରେ ସର୍ବୋଚ୍ଚ ଅଙ୍କ ପ୍ରାପ୍ତ କରିଥିଲେ । ଏହାପରେ ସେ ରେଭେନ୍ସା ବିଶ୍ୱ ବିଦ୍ୟାଳୟରୁ ଭୂତତ୍ତ୍ୱ ବିଜ୍ଞାନରେ ଡିଷ୍ଟିଙ୍କସନ୍ ସହ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ପର୍ସୋନେଲ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ସର୍ବାଧିକ ସିଜିପିଏ ହାସଲ କରି ମହାମହିମଙ୍କଠାରୁ ଦୀକ୍ଷାନ୍ତ ଉତ୍ସବରେ ବିଶ୍ୱ ବିଦ୍ୟାଳୟ ସ୍ୱର୍ଣ୍ଣପଦକ ଲାଭ କରିଥିଲେ ।