- ମହାରାଷ୍ଟ୍ର ଗଣମାଧ୍ୟମ ପ୍ରତିନିଧି ଦଳର ୪ଦିନିଆ ଓଡ଼ିଶା ଗସ୍ତ
- ପୁରୀ, କୋଣାର୍କ, ରଘୁରାଜପୁର ଓ ପିପିଲିରେ ଓଡ଼ିଶାର ଐତିହ୍ୟ ଓ ହସ୍ତଶିଳ୍ପ ଦେଖି ହେଲେ ପ୍ରଭାବିତ
- କଟକ ଟାଙ୍ଗୀରେ ସଂକଳ୍ପ ଯାତ୍ରାରେ ସାମିଲ ହେବା ସହ ଏନ୍ଆର୍ ଆର୍ଆଇ, ଏନ୍ଡିଆର୍ଏଫ୍ ଏବଂ ହାଇକୋର୍ଟ ନ୍ୟାୟ ସଂଗ୍ରହାଳୟ ପରିଦର୍ଶନ କଲେ
- ଭୁବନେଶ୍ୱର ଏମ୍ସ, ସିଟିଟିସି ଓ ସିଫା ପରିଦର୍ଶନ କରି ଏସବୁ ଅନୁଷ୍ଠାନର ଦେଶ ପ୍ରତି ରହିଥିବା ଯୋଗଦାନ ବିଷୟରେ ଜାଣିଲେ
ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି । ଏହି କ୍ରମରେ ଆଜି ପୁରୀ ଜିଲ୍ଲାର ନିମାପଡ଼ାଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ରର ଏକ ୭ ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ । ସେମାନେ ଯାତ୍ରାରେ ଭାଗ ନେଇଥିବା ହିତାଧିକାରୀଙ୍କ ସହ ମତବିନିମୟ କରିଛନ୍ତି । ପୂର୍ବରୁ ଏହି ସାମ୍ବାଦିକ ପ୍ରତିନିଧି ଦଳ କଟକ ଜିଲ୍ଲାର ଟାଙ୍ଗୀଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ମହାରାଷ୍ଟ୍ର ସାମ୍ବାଦିକଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ମହାରାଷ୍ଟ୍ରର ସାମ୍ବାଦିକମାନଙ୍କ ୪ ଦିନିଆ ଗସ୍ତ ଆଜି ଶେଷ ହୋଇଛି । ମହାରାଷ୍ଟ୍ରର ଏହି ସାମ୍ବାଦିକମାନେ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବ ଗବେଷଣା କେନ୍ଦ୍ର (ସିଫା) ପରିଦର୍ଶନ କରି ସେଠାରେ ବିଭିନ୍ନ ମତ୍ସ୍ୟ ଚାଷ ପାଇଁ ହେଉଥିବା ଗବେଷଣା ଓ ଅନୁଷ୍ଠାନର କାର୍ଯ୍ୟ ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ । ଗତକାଲି ସାମ୍ବାଦିକ ପ୍ରତିନିଧି ଦଳ ପୁରୀ ଜିଲ୍ଲାର ଐତିହ୍ୟଗ୍ରାମ ରଘୁରାଜପୁର ପରିଦର୍ଶନ କରିଥିଲେ ଏବଂ ସେଠାରେ ଓଡ଼ିଶାର ସ୍ୱତନ୍ତ୍ର ହସ୍ତଶିଳ୍ପ ପଟ୍ଟଚିତ୍ର ନିର୍ମାଣ ଶୈଳୀ ଓ ପ୍ରକ୍ରିୟା ଦେଖି ଅଭିଭୂତ ହୋଇଥିଲେ । ସେମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର ବୁଲି ଦେଖିବା ସହିତ ପିପିଲିର ଚାନ୍ଦୁଆ କାମ ଦେଖି ପ୍ରଭାବିତ ହୋଇଥିଲେ । ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିର ସ୍ୱଚ୍ଛତା ସେମାନଙ୍କୁ ପ୍ରଭାବିତ କରିଥିଲା । ଗତ ମଙ୍ଗଳବାର ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି ଦଳ ଐତିହାସିକ କଟକ ସହରର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଥିଲେ । ସାମ୍ବାଦିକମାନେ ହାଇକୋର୍ଟ ନିକଟରେ ପ୍ରତିଷ୍ଠା ହୋଇଥିବା ଅଭିନବ ନ୍ୟାୟ ସଂଗ୍ରହାଳୟ ବୁଲି ଦେଖିବା ସହ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଏଭଳି ଅଭିନବ ପରିକଳ୍ପନାରେ ପ୍ରଭାବିତ ହୋଇଥିଲେ । ବିଶେଷ କରି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଭଳି ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିବା ସେମାନଙ୍କୁ ସୂଚନା ଦିଆଯାଇଥିଲା । ସେମାନେ ମଧ୍ୟ କଟକ ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍ଡିଆର୍ଏଫ୍) କ୍ୟାମ୍ପସ୍ ଗସ୍ତ କରି ଏନ୍ଡିଆର୍ଏଫ୍ର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହୋଇଥିଲେ । ସାମ୍ବାଦିକଙ୍କ ଦଳ କଟକ ବିଦ୍ୟାଧରପୁରଠାରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ କରି ଅନୁଷ୍ଠାନର ସମସ୍ତ ବିଭାଗ ମୁଖ୍ୟ ଏବଂ ବୈଜ୍ଞାନିକମାନଙ୍କ ସହିତ ମତବିନିମୟ କରିଥିଲେ । ଏଥିପୂର୍ବରୁ ସୋମବାର ଅର୍ଥାତ୍ ଗସ୍ତର ପ୍ରଥମ ଦିନରେ ମହାରାଷ୍ଟ୍ର ସାମ୍ବାଦିକମାନେ ଭୁବନେଶ୍ୱର ଏମ୍ସ ଏବଂ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଏଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ପରିଦର୍ଶନ କରିଥିଲେ । ଚନ୍ଦ୍ରଯାନ ଓ ଗଗନଯାନ ଭଳି ମହାକାଶ ଅଭିଯାନର ବିଭିନ୍ନ ସରଞ୍ଜାମ ନିର୍ମାଣରେ ସିଟିଟିସିର ଯୋଗଦାନ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନ ବିଷୟରେ ବିଭିନ୍ନ ରାଜ୍ୟର ଗଣମାଧ୍ୟମକୁ ଅବଗତ କରାଇବା ଉଦ୍ଦେଶ୍ୟରେ ସାମ୍ବାଦିକଙ୍କ ପାଇଁ ଏଭଳି ମତବିନିମୟ ଓ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।