ଆସାମରେ ଭୟଙ୍କର ଦୁର୍ଘଟଣା : ୧୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆସାମର ଗୋଲାଘାଟ ଜିଲ୍ଲାରେ ଆଜି ସକାଳେ ଏକ ଯାତ୍ରୀବାହୀ ବସ ଏବଂ ଟ୍ରକ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ପାଞ୍ଚ ମହିଳା ଏବଂ ଜଣେ ନାବାଳିକା ସହ ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ରାଷ୍ଟ୍ରୀୟ ରାଜମାର୍ଗ ୩୭ରେ ଡେରଗାଁଓରେ ସକାଳ ୫ଟାରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ୪୫ ଯାତ୍ରୀଙ୍କୁ ନେଇ ଏକ ବସ୍ ଗୋଲାଘାତରୁ ତିନସୁକିଆ ଯାତ୍ରା କରୁଥିଲା । ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଟ୍ରକ୍ ଏବଂ ବସ୍ ଉଭୟର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଛନ୍ତି । ଆହତଙ୍କୁ ଡେରଗାଁଓ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋଲାଘାଟ ଡେପୁଟୀ କମିଶନର ଉଦୟ ପ୍ରବୀଣ କହିଛନ୍ତି, ‘ରାଷ୍ଟ୍ରୀୟ ରାଜମାର୍ଗର ଗୋଟିଏ ପାର୍ଶ୍ୱରେ ମରାମତି ଚାଲିଛି । ଏଥିପାଇଁ ଉଭୟ ଦିଗରୁ ଡିଭାଇଡରକୁ ଉପଯୋଗ କରାଯାଉଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଟ୍ରକ୍ ଦ୍ରୁତ ଗତିରେ ଆସୁଥିଲା ଏବଂ ବସ୍‌କୁ ଧକ୍କା ଦେଇଥିଲା’ । ଗୋଲାଘାଟ ପୋଲିସ ଏସ୍‌ପି ରାଜେଶ ସିଂ କହିଛନ୍ତି, ବସ୍ ଏବଂ ଟ୍ରକରୁ ୧୦ ମୃତ ଦେହ ଉଦ୍ଧାର କରାଯାଇଛି । ଜେଏମ୍‌ସିଏଚ୍‌ରେ ଭର୍ତ୍ତି କରାଯାଇଛି ଥିବା ୨୭ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଦ୍ରୁତ ଏବଂ ଦାୟିତ୍ୱହୀନ ଗାଡ଼ି ଚାଳନା କାରଣରୁ ମୃତ୍ୟୁ ମାମଲା ରୁଜୁ କରାଯାଇଛି । ଏହାସହ ଘଟଣାର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.