ଏମ୍‌ବିକେମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ତାଲିମ ଶିବିର ଓ ତଦାରଖ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତସ୍ତରରେ କାମ କରୁଥିବା ଦକ୍ଷ ନଥିପତ୍ର ପରିଚାଳିକା (ଏମ୍‌ବିକେ)ମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ସଶକ୍ତ କରିବା ପାଇଁ ଓକାକ୍‌ର ସହାୟତାରେ ତାଲିମ ପ୍ରଦାନ କରାଯାଉଛି । ଓକାକ୍‌ର ତାଲିମ ସହଯୋଗୀ ଓକେସିଏଲ୍‌ର ଗଞ୍ଜାମ ଜିଲ୍ଲାରେ ଥିବା ୨୭ଟି ତାଲିମ କେନ୍ଦ୍ରରେ ଜିଲ୍ଲାର ୨୨ଟି ବ୍ଲକରେ କାର୍ଯ୍ୟରତ ୪୦୯ ଜଣ ଏମ୍‌ବିକେମାନଙ୍କ ତାଲିମ ଚାଲୁ ରହିଛି । ଶନିବାର ଦିନ ମିଶନ ଶକ୍ତି ବିଭାଗର ପର୍ଯ୍ୟବେକ୍ଷଣ, ଶିକ୍ଷା ଓ ମୂଲ୍ୟାଙ୍କନ କାର୍ଯ୍ୟାଳୟର ପ୍ରକଳ୍ପ ପରିଚାଳିକା ଶ୍ରୀମତୀ ସୁଚିସ୍ମିତା ପାଢୀ ଦିନିକିଆ ଗଞ୍ଜାମ ଗସ୍ତରେ ଆସି ତିନୋଟି ତାଲିମ କେନ୍ଦ୍ରକୁ ଯାଇ ସେଠାରେ ତାଲିମ ନେଉଥିବା ଏମ୍‌ବିକେମାନଙ୍କ ତାଲିମ ତଦାରଖ କରିଥିଲେ । ପ୍ରଥମେ ଖଲ୍ଲିକୋଟ ବ୍ଲକର ରାମଚନ୍ଦ୍ର ମର୍ଦ୍ଦରାଜ ମହାବିଦ୍ୟାଳୟରେ ରେଖାସ୍ ଡିଜିଟାଲ ଏଜୁକେସନର ନଲେଜ ସେଣ୍ଟରରେ ଚାଲିଥିବା ତାଲିମ ତଦାରଖ କରିବା ପରେ ଗଞ୍ଜାମ ବ୍ଳକର ତାଲିମ କେନ୍ଦ୍ର ରିହଷ୍ଟଠାରେ ତାଲିମ ତଦାରଖ କରିଥିଲେ । ଏହାପରେ ଓକେସିଏଲ୍‌ର ଜିଲ୍ଲା ମୁଖ୍ୟ କେନ୍ଦ୍ରରେ ଛତ୍ରପୁର ବ୍ଳକର ତାଲିମ କାର୍ଯ୍ୟକ୍ରମ ତଦାରଖ କରିଥିଲେ । ତାଲିମ ନେଉଥିବା ଏମ୍‌ବିକେମାନଙ୍କୁ ବିଭିନ୍ନ କଂପ୍ୟୁଟର ଚାଳନା ସମ୍ପର୍କିତ ପ୍ରଶ୍ନ ପଚାରିବା ସହ ସେମାନଙ୍କୁ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିଥିଲେ । ଓକେସିଏଲ୍‌ର ଗଞ୍ଜାମ ଜିଲ୍ଲାର ମୁଖ୍ୟ ଏସ. ରେଖା ମହାନ୍ତି ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.