ବଲାଙ୍ଗିରର ଦୁଇ ମନ୍ଦିରକୁ ଦିଆଗଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବର ନିମନ୍ତ୍ରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବର ନିମନ୍ତ୍ରଣ ନିମନ୍ତେ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲା ପ୍ରଶାସନ ତରଫରୁ ଭବ୍ୟ ଆୟୋଜନ ପୂର୍ବକ ପୁରୀରୁ ଆସିଥିବା ୪ ଜଣିଆ ସେବାୟତ ତଥା ଅଧିକାରୀଙ୍କୁ ସ୍ଵାଗତ କରାଯାଇଛି । ନିମନ୍ତ୍ରଣ ଦେବାକୁ ଆସିଥିବା ଦଳ ଜିଲ୍ଲା ପ୍ରଶାସନ ପାଖରେ ମନ୍ଦିର ଧର୍ମସ୍ଥଳିର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏହି ନିମନ୍ତ୍ରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏକ ଆଧ୍ୟାତ୍ମିକ ବାତାବରଣରେ ଭଜନ କୀର୍ତ୍ତନ ସହ ସ୍ଥାନୀୟ ପଞ୍ଚାୟତ ସଂସାଧନ କେନ୍ଦ୍ରଠାରୁ ଏହି ଦଳକୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ସହ ସ୍ଵାଗତ କରାଯାଇଥିଲା । ରାଜ୍ୟ ସରକାରଙ୍କ ମହତ୍ତ୍ଵକାଂକ୍ଷୀ ଯୋଜନା ଆଧାରରେ ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୨୦୨୪ ମସିହା ଜାନୁୟାରୀ ୧୭ ତାରିଖ ଦିବା ୧୧ ଘଟିକାରେ ଏହି ପ୍ରକଳ୍ପର ଲୋକାର୍ପଣ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ପୁରୀଠାରେ ଅନୁଷ୍ଠିତ ହେବ । ଏହାର ଭବ୍ୟ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି । ଦେଶ ବାହାର, ଦେଶ ଭିତର ଓ ରାଜ୍ୟ ଭିତରର ବିଭିନ୍ନ ପ୍ରମୁଖ ଧର୍ମସ୍ଥଳିର ମୁଖ୍ୟମାନଙ୍କୁ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି । ଯଦିଓ ପ୍ରଥମ ପ୍ରତ୍ୟେକ ଜିଲ୍ଲାର ଦୁଇଟି ପ୍ରମୁଖ ଧର୍ମସ୍ଥଳିର ୨ ଜଣ ଲେଖାଏଁ ମୁଖ୍ୟଙ୍କୁ ୧୭ ତାରିଖକୁ ଆମନ୍ତ୍ରଣ କରାଯାଉଛି, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ଧର୍ମସ୍ଥଳିର ମୁଖ୍ୟମାନେ ଦର୍ଶନରେ ଆସି ପାରିବେ । ନିମନ୍ତ୍ରଣ ପାଇଁ ପୁରୀରୁ ୩ ଜଣ ଲେଖାଏଁ ସେବାୟତ ଓ ଜଣେ ଲେଖାଏଁ ସରକାରୀ ଅଧିକାରୀଙ୍କୁ ନେଇ ୧୩ଟି ଦଳ ଗଠିତ ହୋଇଛି । ଯେଉଁମାନେ କି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ଗସ୍ତ କରିବେ । ସେହି ଆଧାରରେ ବଲାଙ୍ଗିରକୁ ଡେପୁଟି ଡାଇରେକ୍ଟର (ଯୋଜନା) ସୂର୍ଯ୍ୟନାରାୟଣ ତ୍ରିପାଠୀ ଏବଂ ସେବାୟତ ବିପିନି ପତ୍ରୀ, ଜଗାକୃଷ୍ଣ ମହାପାତ୍ର ଏବଂ ରାମକୃଷ୍ଣ ଚନ୍ଦ୍ର ପ୍ରତିହାରୀଙ୍କ ଦଳ ଗସ୍ତ କରିଛି । ଏହି ଦଳ ବରଗଡ଼ ଏବଂ ନୂଆପଡ଼ା ମଧ୍ୟ ଯାତ୍ରା କରିବ । ଉକ୍ତ ଉତ୍ସବରେ ଅରମାସ ସିଇଓ କମଳେନ୍ଦୁ ପଲ, ଡିପିସି ମିଶନ ଶକ୍ତି ସୁମନ ଦ୍ଵିବେଦୀ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.