ଚଙ୍ଗରିଆ ସରପଞ୍ଚଙ୍କୁ ଆକ୍ରମଣ କରିଥିବା ପିଡ଼ବ୍ଲ୍ୟୁଡି ଏସ୍‌ଡ଼ିଓଙ୍କୁ ପୁନଃ ଗିରଫ୍‌ କରି ଚାକିରୀରୁ ବହିଷ୍କାର କରିବା ପାଇଁ ଦାବୀ କଲା ବଲାଙ୍ଗିର ସରପଞ୍ଚ ମହାସଂଘ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଙ୍ଗରିଆ ସରପଞ୍ଚଙ୍କୁ ଆକ୍ରମଣ କରିଥିବା ପିଡ଼ବ୍ଲ୍ୟୁଡି ଏସ୍‌ଡ଼ିଓଙ୍କୁ ପୁନଃ ଗିରଫ୍‌ କରି ଚାକିରୀରୁ ବହିଷ୍କାର କରିବା ପାଇଁ ଦାବୀ କରିଛି ବଲାଙ୍ଗିର ସରପଞ୍ଚ ମହାସଂଘ । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଓ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କୁ ଭେଟି ମହାସଂଘ ପକ୍ଷରୁ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଛି । ସରପଞ୍ଚ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଗତକାଲି ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ସରପଞ୍ଚ ସୁଶୀଲ କୁମାର ଗୁରୁ ହରିଶଙ୍କରଠାରେ ଚାଲିଥିବା ଉନ୍ନୟନମୂଳକ କାମ ନିମ୍ନମାନର ହେଉଥିବା ପିଡ଼ବ୍ଲ୍ୟୁଡି ଏସ୍‌ଡ଼ିଓ ସିର୍ଦ୍ଧାଥ ଦାସଙ୍କୁ ଅଭିଯୋଗ କରିବାରୁ ଶ୍ରୀ ଦାସ ଉତ୍‌କ୍ଷିପ୍ତ ହୋଇ ଶ୍ରୀ ଗୁରୁଙ୍କୁ ତଳେ ପକାଇ ଗଳା ଚିପି ଜୀବନରୁ ମାରି ଦେବା ପାଇଁ ପ୍ରୟାସ କରିଥିବା ବେଳେ ତାଙ୍କୁ ଗିରଫ୍‌ କରାଯାଇ କୋର୍ଟ ଚାଲାଣ କରାଯାଇଥିଲେ ସୁଦ୍ଧା ତାଙ୍କୁ ଛାଡ଼ି ଦିଆଯାଇଛି । ଏଣୁ ଏସ୍‌ଡ଼ିଓ ସିର୍ଦ୍ଧାଥ ଦାସଙ୍କୁ ପୁନଃ ଗିରଫ୍‌ କରି ତୁରନ୍ତ ଚାକିରୀରୁ ବହିଷ୍କାର କରାଯାଉ ବୋଲି ମହାସଂଘ ପକ୍ଷରୁ ଦାବୀ କରାଯାଇଛି । ଯଦି ଏସ୍‌ଡ଼ିଓ ସିଦ୍ଧାର୍ଥ ଦାସଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ଓଡ଼ିଶା ସରପଞ୍ଚ ସଂଘ ତରଫରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛି ସରପଞ୍ଚ ମହାସଂଘ । ଦାବୀପତ୍ର ପ୍ରଦାନ ବେଳେ ବଲାଙ୍ଗିର ସରପଞ୍ଚ ସଂଘ ସଭାପତି ବଳଦେବ ସାହୁ, ସଂପାଦକ ବିଶ୍ୱବିହାରୀ ଯୋଶୀଙ୍କ ସହ ବହୁ ସରପଞ୍ଚ ଉପସ୍ଥିତ ଥିଲେ ।

Leave A Reply

Your email address will not be published.