ଡକାୟତି ଅଭିଯୋଗ କରିଥିବା ଅଭିଯୋଗକାରୀ ହିଁ ମାଷ୍ଟର ମାଇଣ୍ଡ : ଦୁଇ ଅଭିଯୁକ୍ତଙ୍କୁ ଗିରଫ୍‌ କଲା ଲୋଇସିଂହା ପୋଲିସ

ଲୋଇସିଂହା, (କେପିଏନ୍‌ଏସ୍‌) : ଟଙ୍କା ହଡପ୍‌ କରିବାର ଚକ୍ରାନ୍ତ କରି ୮୪ ହଜାର ଟଙ୍କା ଡକାୟତି ହୋଇଥିବା ଅଭିଯୋଗ କଲେ ଥାନାରେ । ଅଥଚ ପୋଲିସ ତଦନ୍ତରୁ ଜଣାପଡ଼ିଲା ଅଭିଯୋଗକାରୀ ହିଁ ମାଷ୍ଟର ମାଇଣ୍ଡ । ଏହି ମାମଲାରେ ମାଷ୍ଟର୍‌ ମାଇଣ୍ଡ ଯୁବକଙ୍କ ସହ ତାଙ୍କ ସହଯୋଗୀଙ୍କୁ ଗିରଫ୍‌ କରିଛି ଲୋଇସିଂହା ପୋଲିସ । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ୍‌ ବାଗ୍‌ । ଦିଆଯାଇଥିବା ସୂଚନା ଅନୁସାରେ, ଭାରତ ଫାଇନାନ୍ସରେ ରିକୋଭରି ଏଜେଣ୍ଟ ଭାବରେ କାମ କରୁଥିବା ବିଜୟ ନାଗ ସଂଧ୍ୟା ସମୟରେ ସେ ଟଙ୍କା କଲେକ୍‌ସନ୍‌ ସାରି ଫେରୁଥିବା ବେଳେ କର୍‌କଚିଆ ଛକରେ ୩ ଜଣ ଯୁବକ ତାଙ୍କୁ ଅଟକାଇ ମାର୍‌ପିଟ୍‌ କରିବା ସହ ତାଙ୍କ ଠାରୁ ୮୪ ହଜାର ୮ ଶହ ୮୫ ଟଙ୍କା ଲୁଟ୍‌ କରି ନେଇଛନ୍ତି ବୋଲି ଲୋଇସିଂହା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ଆଇଆଇସି ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ଆରମ୍ଭ ହୋଇଥିଲା ତଦନ୍ତ । ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଯେ ଅଭିଯୋଗକାରୀ ବିଜୟ ନାଗ ପୂର୍ବରୁ ପୁଇଁତଲା ଥାନା ଓ ଦେଓଗାଁ ଥାନାରେ ତାଙ୍କଠାରୁ କଂପାନୀର କଲେକ୍‌ସନ୍‌ ଟଙ୍କା ଲୁଟ୍‌ ହୋଇଥିବା ଭଳି ଦୁଇଟି ମାମଲା ରୁଜ୍ଜୁ କରିଛନ୍ତି । ଏ ଦିଗକୁ ଜୋର୍‌ ଦେଇଥିଲା ପୋଲିସ । ଏହାପରେ ବଲାଙ୍ଗିର ସାଇବର୍‌ ପୋଲିସର ସହାୟତା ନେଇ ବିଜୟଙ୍କ କଲ୍‌ ରେକର୍ଡ ଖୋଳତାଡ଼ କରାଯାଇଥିଲା । ଏଥିରୁ ପୋଲିସ ଜାଣିପାରିଥିଲା, ଡକାୟତି ଅଭିଯୋଗ କରିଥିବା ବିଜୟ ନାଗ ହିଁ ଏହି ଘଟଣାର ମାଷ୍ଟର୍‌ ମାଇଣ୍ଡ । ଟଙ୍କା ହଡ଼ପ୍‌ କରିବାର ଚକ୍ରାନ୍ତ କରି ବିଜୟ ତାଙ୍କ ସହକର୍ମୀ ବ୍ରାହ୍ମଣୀଡୁଙ୍ଗୁରୀ ନିବାସୀ ପୀତବାସ ମେର୍ଲିଙ୍କୁ ଘଟଣା ଦିନ କର୍‌କଚିଆ ଛକକୁ ଡାକି ୮୪ ହଜାର ୮ ଶହ ୮୫ ଟଙ୍କା ଦେଇଦେବା ପରେ ଲୋଇସିଂହା ଥାନାରେ ଯାଇ ଅଭିଯୋଗ କରିଥିଲେ । ଏହି ମାମଲାରେ ବିଜୟ ନାଗ ଏବଂ ପୀତବାସ ମେର୍ଲି ଲୋଇସିଂହା ପୋଲିସ ଗିରଫ୍‌ କରିବା ସହ ସେମାନଙ୍କଠାରୁ ୭୦ ହଜାର ଟଙ୍କା, ୩ଟି ମୋବାଇଲ ଫୋନ୍‌ ସହ ୨ଟି ମୋଟର୍‌ ସାଇକେଲ୍‌ ଜବତ୍‌ କରିଛନ୍ତି । ଆଜି ଗିରଫ୍‌ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.