ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ପୋଲିସ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ମାର୍ଗଦର୍ଶନରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଭାବେ ଆୟୋଜକ ସମ୍ପାଦକ ଜୟରାମ ସାହୁ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ ପ୍ରମୁଖ ମଂଚାସୀନ ଥିଲେ । ବୋର୍ଡା ଜନତା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ ନିଶଙ୍କ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶଗଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ଶୃତି ସିଲଭା ପଣ୍ଡା ଓ ବର୍ଷାରାଣୀ ତ୍ରିପାଠୀ ମଂଚ ପରିଚାଳନା କରିଥିଲେ । ସମଗ୍ର ୧୩ଟି ବ୍ଲକରୁ ମନୋନୀତ ୬୩ଟି ବିଜ୍ଞାନ ପ୍ରକଳ୍ପମାନଙ୍କ ବାଲ୍ ବୈଜ୍ଞାନିକମାନଙ୍କ ଦ୍ୱାରା ଏଥିରେ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବେ ଅଧ୍ୟାପକ ତ୍ରିନାଥ ବିଷୋୟୀ, ଭି.ସୁରେନ୍ଦ୍ରନାଥ ରାଓ, ଅଟଳ ବିହାରୀ ନାୟକ, ରୁଦ୍ରମାଧବ ନାଗ ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରଦର୍ଶନୀ ଉପଲକ୍ଷେ ଆୟୋଜିତ କୁଇଜ୍‌ ପ୍ରତିଯୋଗିତାରେ ସମଗ୍ର ଜିଲ୍ଲାର ୧୩୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । କୁଇଜ୍‌ ମାଷ୍ଟର ଭାବେ ଶୁଭେନ୍ଦୁ ଶେଖର ବେହେରା, ପ୍ରକାଶ ମିଶ୍ର, ଶ୍ରୀନିବାସ ସେନାପତି, ବିଜୟାନନ୍ଦ ହୋତା, ସୋମନାଥ ସାହୁ ପ୍ରମୁଖ କୁଇଜ୍‌ ପରିଚାଳନା କରିଥିଲେ । ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ସାଜିଥିଲା ପ୍ରକୃତି ବନ୍ଧୁ ରବୀନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଲୋକ ଖେଳ ଓ ବିଜ୍ଞାନ ଆଧାରିତ ବାଲୁକା କଳା । ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହାକୁ ପରିଚାଳନା କରିଥିଲେ ଶିକ୍ଷକ ରବି କାନୁନଗୋ, ମଙ୍ଗୁଳୁ ପ୍ରଧାନ ଓ ଦୀପ୍ତିମୟୀ ସିଂ । ବିଜ୍ଞାନ ସମ୍ପର୍କିତ ଯାଦୁକାରୀ ପ୍ରଦର୍ଶନ ଦେଖେଇଥିଲେ ଶିକ୍ଷକ ସନ୍ତୋଷ କର ଓ ନିରୋଜ ସାହୁ । ଏଥିରେ ପ୍ରଦର୍ଶନୀ କମିଟିର ସମସ୍ତ ସଦସ୍ୟ ତଥା ପୋଲିସ ହାଇସ୍କୁଲର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ ।

Leave A Reply

Your email address will not be published.