centurian jitm

ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗିତା ଉଦ୍‌ଘାଟିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଦିବାସୀ କଲ୍ୟାଣ ବିଭାଗର ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅନ୍ୱେଷା ଖେଳ ପଡିଆରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ସଭାପତିତ୍ୱ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଯୋଗ ଦେଇଥିଲେ ଏବଂ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ଛତ୍ରପତି ସାହୁ, ଜ୍ୟୋତିକାନ୍ତ ସାହୁ, ବ୍ଲକ୍ ଶିକ୍ଷାଧିକାରୀ ଲୋକନାଥ ଭୋଇ, ଚୁଡ଼ାମଣି ବାରିକ, ମଛିନ୍ଦ୍ର ମଲ୍ଲିକ, ଶୁଭମ ପତି, ଶ୍ରୀମତୀ ସେବାଶ୍ରୀ ଭୋଇ, ଶ୍ରୀମତୀ ଅମୃତା ସାହୁ, ସୁଶ୍ରୀ ଭାବନା ସାହୁ, ସୁଶ୍ରୀ ମିଶ୍ରାନୀ କୁମ୍ଭାର, ରାମଲାଲ ବରିହା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ ପଟ୍ଟନାୟକ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ଧରୁଆ ପ୍ରମୁଖ ମଞ୍ଚାସିନ ଥିଲେ । ସର୍ଵ ପ୍ରଥମେ ମୁଖ୍ୟଅତିଥିଙ୍କ କରକମଳରେ ଶ୍ରୀଗଣେଶ ଓ ସିଦ୍ଧିଦାତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରି ଏହି ମହୋତ୍ସବର ଶୁଭାରମ୍ଭ କରିଥିଲେ । ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରର ଛାତ୍ରୀମାନେ ଅନ୍ତର୍ଯ୍ୟାମୀ ମେହେରଙ୍କ ସଂଗୀତ ନିର୍ଦ୍ଦେଶନାରେ ସ୍ଵାଗତ ସଂଗୀତ ଗାନ କରିଥିଲେ । ସମସ୍ତ ଅତିଥି ବିଜ୍ଞାନର ଜୟଗାନ ସହ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ । ଏହି ପ୍ରଦର୍ଶନୀରେ ମୋଟ ୨୨୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଛି । ଏହି ପ୍ରଦର୍ଶନୀ ୧୬ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ପର୍ଯ୍ୟାୟରେ ଅଭିଜ୍ଞ ବିଜ୍ଞାନ ଶିକ୍ଷକମାନଙ୍କ ଦ୍ଵାରା ପର୍ଯ୍ୟବେକ୍ଷଣ କରାଯିବ । ସମସ୍ତ ଛାତ୍ରଛାତ୍ରୀ ଓ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସୁବିଧାରେ ରହିବା ଓ ସ୍ଵାଦିଷ୍ଟ ଭୋଜନର ବ୍ୟବସ୍ଥା କରାଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ ରାଜେଶ ଖମାରୀ ଓ ଦ୍ୱାଦଶ ପ୍ରଧାନ । ଆଜିର ସବୁଠାରୁ ଆକର୍ଷଣୀୟ ଥିଲା ବାରିକେଲ ଉଚ୍ଚ ବିଦ୍ୟାଳୟ ଓ ଦେଉଲୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାରମ୍ପରିକ ଲୋକବାଦ୍ୟ ଓ ନୃତ୍ୟ ସହ ଅତିଥି ମାନଙ୍କୁ ସ୍ଵାଗତ କରୁଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପଟ୍ଟନାୟକ ଓ ଛତ୍ରୀ ସାର୍‌ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା । ଶେଷରେ ଚୁଡ଼ାମଣି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ଦ୍ଵିତୀୟ ପର୍ଯ୍ୟାୟରେ ସଂଧ୍ୟା ୬ଟାରୁ ଗୋବିନ୍ଦ ସେଠ ଓ ସୁଶ୍ରୀ ସୋନାଲିକା ଶବରଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Leave A Reply

Your email address will not be published.