ଖଲିଆଭଟା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ସମ୍ପନ୍ନ ହୋଇ ଯାଇଛି । ନିଜସ୍ଵ ଖେଳପଡିଆଠାରେ ଆୟୋଜିତ କ୍ରୀଡା ଉତ୍ସବକୁ ପ୍ରଧାନ ଶିକ୍ଷକ ଉମା ଶଙ୍କର ପଣ୍ଡା ଶୁଭ ଉଦ୍‌ଘାଟନ କଲା ପରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସାନ୍ଧ୍ୟ ଆସର ତଥା ପୁରସ୍କାର ବିତରଣ ଉତ୍ସବରେ ବିଭିନ୍ନ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ବହୁରୂପୀ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ବେଶ ଉପଭୋଗ୍ୟ ଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନ ଶିକ୍ଷକ ଉମାଶଙ୍କର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ପାଇଁ ଏହା ଏକ ନିର୍ଣ୍ଣାୟକ ମାଧ୍ୟମ ବୋଲି ପ୍ରକାଶ କରିଥିଲେ । ଘୁମୁରା ଗୁରୁ ତଥା ଗବେଷକ ତୀର୍ଥ ରାଜ ଦଳପତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଅଧ୍ୟୟନ ସାଙ୍ଗକୁ ବିଭିନ୍ନ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଗୁରୁତ୍ୱ ଦେଇଥିଲେ । ପରିଚାଳନା କମିଟିର ସଭାପତି ଧର୍ମେନ୍ଦ୍ର ମାଝୀ, କ୍ଷୀର ସିନ୍ଧୁ ମାଝୀ, ସାମ୍ବାଦିକ ଅସ୍ରଫ ଅଲ୍ଲୀ, ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ କୃଷ୍ଣ ପ୍ରସାଦ ନାୟକ କ୍ରୀଡା ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.