ଶିକ୍ଷାବିନା ଅର୍ଥନୈତିକ ସାମାଜିକ ବିକାଶ ଅସମ୍ଭବ – ନରସିଂହ

  • ରାଜତନ୍ତ୍ର ଶିକ୍ଷା ବିକାଶର ପରିପନ୍ଥୀ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିକ୍ଷା ହିଁ ଅଂଚଳର ଅର୍ଥନୈତିକ ଓ ସାମାଜିକ ବିକାଶର ମୁଖ୍ୟ ଆଧାର ଅଟେ । ବିଶ୍ୱ ବିଖ୍ୟାତ ଅର୍ଥନୈତିଜ୍ଞ ଏହି ସନ୍ଧର୍ଭରେ ହିଁ ନୋବେଲ ପୁରସ୍କାର ପାଇଥିଲେ । ତେଣୁ ଛାତ୍ରଛାତ୍ରୀମାନେ ଯଦି ଅଂଚଳର ଅର୍ଥନୈତିକ ଓ ସାମାଜିକ ବିକାଶ ଚାହୁଁଛନ୍ତି ତେବେ ସେମାନେ ଉତ୍ତମ ଶିକ୍ଷା ଆହରଣ କରିବା ଦରକାର ଏବଂ ସରକାର ମଧ୍ୟ ଉତ୍ତମ ଶିକ୍ଷା ଆହରଣ ପାଇଁ ଶିକ୍ଷାନୁଷ୍ଠାନମାନଙ୍କରେ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ଦରକାର ବୋଲି ଆଜି ବଲାଙ୍ଗିର ବ୍ଲକସ୍ଥିତ ଚନ୍ଦନଭାଟି ପଂଚାୟତର ଚନ୍ଦନଭାଟିରେ ଥିବା ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ନୁଆଁ-ଓ କାର୍ଯ୍ୟକ୍ରମର ଉଦ୍‌ଯାପନି ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ସେ ଏ ଅବସରରେ ଏହା ମଧ୍ୟ କହିଛନ୍ତି ଯେ, ୯୦୦ ବର୍ଷ ପୂର୍ବରୁ ଏ ଅଂଚଳରେ ଗଣତନ୍ତ୍ର ଥିଲା । ଲୋକେ ପାଳି କରି ପ୍ରତିନିଧି ବାଛି ଅଂଚଳକୁ ଶାସନ କରୁଥିଲେ କିନ୍ତୁ ଘଟଣାକ୍ରମରେ ସେ ସମୟର ରାଜା ରମାଇଁ ଦେଓ ବଳପୂର୍ବକ ଶାସନକୁ ଆସିବା ପରେ ଅଂଚଳରେ ରାଜତନ୍ତ୍ର ପ୍ରତିଷ୍ଠା ହେଲା ଏବଂ ରାଜତନ୍ତ୍ର ପୂର୍ବରୁ ଅଂଚଳରେ ଥିବା ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଥିଲା ଯାହାକି ସ୍ୱାଧିନତା ପରବର୍ତ୍ତି ଅନେକ ବର୍ଷ ପର୍ଯ୍ୟନ୍ତ ଆମ ଅଂଚଳ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଅବିକଶିତ ହୋଇ ରହିଗଲା । ଏଣୁ ଆଜିର ଛାତ୍ରଛାତ୍ରୀ ଯେଉଁମାନେ କି ଆମ ଅଂଚଳର ଆଗାମୀ ଦିନର ଭବିଷ୍ୟତ ସେମାନେ ଜାଣିବା ଦରକାର ଯେ ଅଂଚଳର ପ୍ରତିନିଧି କିଭଳି ହେବା ଦରକାର । କ୍ରୀଡା, ଶିକ୍ଷା, ସଂସ୍କୃତି ସାଙ୍ଗକୁ ଅଂଚଳରେ ଯେମିତି ଗଣତନ୍ତ୍ର ସୁଦୃଢ ହେବ ଏବଂ ଅଂଚଳର ବିକାଶ ହୋଇପାରିବ ସେ ଦିଗରେ ଛାତ୍ରଛାତ୍ରୀମାନେ ଯତ୍ନବାଦ ହେବା ଦରକାର । ଗତ ୨୦୧୪ ମସିହା ପରେ ପରେ ଆମ ଅଂଚଳର ପ୍ରାୟତଃ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମିର ଅନେକ ବିକାଶ କରାଯାଇଛି । ସହର ମଧ୍ୟରେ ମହିଳା ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ, ରାମଚନ୍ଦ୍ରପୁରରେ ଓ ଚୁଡାପାଲି ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଭାଗ, ମହିଳାଙ୍କ ବିକାଶ ପାଇଁ ଯୁକ୍ତ ୨ ମହିଳା କଲେଜ ଖୋଳାଯାଇ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଇତି ମଧ୍ୟରେ ମେଡିକାଲ କଲେଜରେ ୨୦୧୮ ମସିହାରୁ ଡାକ୍ତରି ପାଠ ଆରମ୍ଭ ହୋଇସାରିଛି । ଆଗାମୀ ଦିନରେ ଶିକ୍ଷା ବିକାଶ ପାଇଁ ନିଶ୍ଚିତ ଭାବରେ କୃଷି ବିଶ୍ୱବିଦ୍ୟାଳୟ ସମେତ ଆହୁରି ଅନେକ ବୈଷୟିକ ଶିକ୍ଷାନୁଷ୍ଠାନ ନିଶ୍ଚିତ ଭାବରେ ପ୍ରତିଷ୍ଠା କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଏ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅଶୋକ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍‌ଯାପନି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂସ୍କୃତି ନୋଡାଲ ଅଧିକାରୀ ଅଧ୍ୟାପକ ପ୍ରଶାନ୍ତ ଖମାରୀ, ଶମ୍ଭୁ ପ୍ରସାଦ ଦାଶ, ଚନ୍ଦନଭାଟି ନାଏବ ସରପଂଚ ସଂକିର୍ତ୍ତନ୍ୟ ମେହେର ମଂଚାସିନ ଥିବା ବେଳେ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.