ଲୋଇସିଂହା ବ୍ଲକରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳତା ତଥା ଉପଲବ୍ଧିକୁ ପାଥେୟ କରି ଶହୀଦ ବିର୍ସା ମୁଣ୍ଡା ଜୟନ୍ତିରୁ ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଜିଠାରୁ ଲୋଇସିଂହା ବ୍ଲକରେ ଶୁଭାରମ୍ଭ ହୋଇଛି । ଲୋଇସିଂହା ସରପଞ୍ଚ ନବକିଶୋର ନାଏକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ବିଡ଼ିଓ ଯୁଧିଷ୍ଠିର ମେହେର, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଯୋଗାଣ ନିରୀକ୍ଷକ ସୌମ୍ୟରଞ୍ଜନ ମହାନନ୍ଦ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଶା ପଧାନ, ଆଇଆଇସି ଯଜ୍ଞାସେନି ନାୟକ, ପିଏ ରାଜେନ୍ଦ୍ର ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ଜିପିଇଓ ତଥା ନୋଡାଲ ଅଫିସର କିଶୋର ଚନ୍ଦ୍ର ମାନସିଂହ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଭ୍ରାମ୍ୟମାଣ ଯାନରେ ଭିଡିଓ ସୋ ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ତଥା ସେଗୁଡ଼ିକର ରୂପରେଖ ବାବଦରେ ଉପସ୍ଥିତ ସାଧାରଣ ଜନତାଙ୍କୁ ଅବଗତ କରାଯାଇଥିଲା । ଏଥିରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ତଥା ସାଧାରଣ ଜନତା ଉପସ୍ଥିତ ଥିଲେ । ପରିଶେଷରେ ସରପଂଚ ନବକିଶୋର ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ସଂକଳ୍ପ ଯାତ୍ରା ପର୍ଯ୍ୟାୟ କ୍ରମେ ଲୋଇସିଂହା ବ୍ଲକର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ହେବାପରେ ଆସନ୍ତା ୨୧ ତାରିଖରେ ସମାପନ ହେବ ।

Leave A Reply

Your email address will not be published.