ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ସପ୍ତମ ସନ୍ଧ୍ୟା : ମହୁମାଛି ତରଫରୁ ନାଟକ ‘ଅପରାହ୍ନର ଆକାଶ’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ସପ୍ତମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ମହୁମାଛି ତରଫରୁ ନାଟକ ‘ଅପରାହ୍ନର ଆକାଶ’ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ଲଲାଟେନ୍ଦୁ ରଥ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ । ଏହି ନାଟକରେ ସଙ୍ଗୀତ ନିର୍ଦ୍ଦେଶନା ଗୁଲାପ ଶର୍ମା ଓ ପ୍ରମୋଦ ସାହୁ ଦେଇଥିବା ବେଳେ ପ୍ରଶାନ୍ତ ପତି ନାଟକର ପ୍ରଯୋଜନା ଓ ସଂଯୋଜକ ତଥା ଅସୀମ ବେହେରା ଏକକ ଅଭିନୟ କରିଥିଲେ । ପ୍ରଳୟ ଶତପଥୀ ମଞ୍ଚସଜ୍ଜା ଦାୟିତ୍ଵ ତୁଲାଇଥିଲେ । ନାଟକର କାହାଣୀ, ମଣିଷ ଯେମିତି ଜୀବନଟିଏ ଚାହୁଁ ଥାଏ, ଅନେକ ସମୟରେ ସେଇଟା ତାକୁ ମିଳେନେ । ସ୍ୱପ୍ନ ସବୁ ଅଧୁରା ହୋଇଯାଏ । ବାଟ ଚାଲୁଚାଲୁ ହାତ ଛାଡ଼ିଦେଇ ଅନ୍ୟମାନେ ତା’ ଜୀବନରୁ ଗୋଟି ଗୋଟି ହୋଇ ଚାଲିଯାଆନ୍ତି । ଜୀବନ ରାସ୍ତାରେ ସେ ନିଃସଙ୍ଗ ହୋଇଯାନ୍ତି । ଅସହାୟ ହୋଇଗଲେ କେହି ସହଯୋଗର ହାତ ବଢ଼ାଇ ନଥାନ୍ତି । ବୟସର ବୋଝରେ ଚାପିହୋଇ ନିଜର ନା’ ଘରଦ୍ୱାରର ଯତ୍ନ ନେଇପାରନ୍ତି । ସେତେବେଳେ ଖୋଜା ହୁଏ ନିର୍ଭରଯୋଗ୍ୟ ଆଶ୍ରୟ ବୃଦ୍ଧାଶ୍ରମକୁ ଆପଣାଇବାକୁ ପଡ଼େ । ତେବେ ବୃଦ୍ଧାଶ୍ରମର ଜୀବନରେ କଣ ଘଟେ, ତାକୁ ନେଇ ନାଟକଟି ଗତିଶୀଳ ହୋଇଛି । ଆଜିର ଏହି ନାଟକରେ ଉଦ୍‌ଘାଟକ ଭାବେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଉତ୍ତମ ଚରଣ ଜେନା ଓ ନାଟ୍ୟ ନିର୍ଦ୍ଦେଶକ, ମହୁମାଛିର ପ୍ରତିଷ୍ଠାତା, ପ୍ରତିଧ୍ଵନିର ଉପଦେଷ୍ଟା ଇଂ.ଲଲାଟେନ୍ଦୁ ରଥ ମୁଖ୍ୟ ଅତିଥି, ସମାଜସେବୀ ପ୍ରଶାନ୍ତ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଏକତ୍ରର ଅନ୍ୟତମ ଉପଦେଷ୍ଟା ଡା. କୃପାସିନ୍ଧୁ ନାୟକ ସଭାପତିତ୍ୱ ଓ ସ୍ୱାଗତ ଭାଷଣ ତଥା ସଦସ୍ୟ ଦିଲ୍ଲିପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଘାଟକ ଡ଼ା. ଜେନା ଓ ମୁଖ୍ୟଅତିଥି ଶ୍ରୀ ରଥ ଓ ସମ୍ମାନିତ ଅତିଥି ଶ୍ରୀ ସେଠୀ ଅନୁଷ୍ଠାନର ଉଦ୍ୟମକୁ ସାଧୁବାଦ ଦେବା ସହ ବାସ୍ତବ ଜୀବନର ଘଟଣାବଳୀକୁ ନାଟକରେ ଅଭିନୟ ମାଧ୍ୟମରେ ଦର୍ଶାଇବା, କଳାକାର ଓ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନା ଯାଦୁର ସ୍ପର୍ଶରେ ଦର୍ଶକଙ୍କୁ ସମ୍ମୋହିତ କରି ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରେ । ତାହା ହିଁ ସଫଳ ନାଟକ ବୋଲି ମତ ରଖିଥିଲେ । ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ, ସଭାପତି ରାଜୀବ ପାଣି, ସମ୍ପାଦକ ସୁଦେଶ ନାୟକ, ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଆଲୋକ ବୋଷ, ସୁମନ ଦତ୍ତ, ପ୍ରଜ୍ଞାନନ୍ଦ ମହାନ୍ତି, ସରୋଜ ଶଙ୍ଖୁଆ, କନକଲତା ଦାସ, ଆନନ୍ଦ ଚନ୍ଦ୍ର ମହାନ୍ତି, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଶରତ ଦାସ, ଡ. କିଶୋରୀ ଦାଶ, ଜୟନ୍ତ ମିଶ୍ର, ରମେଶ ମହାନ୍ତି, ଅକ୍ଷୟ ଧଳ, ପ୍ରକାଶ ସାହାଣୀ ବିମାନ ସାଇତି, ରାଜକିଶୋର ପ୍ରଧାନ, ରାଧାକୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଝିଲିମା ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ । ନାଟକର ରୂପସଜ୍ଜାରେ ହରିହର ବଳ, ଶବ୍ଦ ଓ ଆଲୋକରେ ସାନୁ ଶ୍ରୀଲାଇଟ୍ସ ତଥା କଲ୍ୟାଣୀ ଦାସ ଓ ରୁନୁ ବେକ୍ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.