ଡାକଘର ବିଧେୟକ ୨୦୨୩ରେ ପୋଷ୍ଟ ଅଫିସ ବିଲ୍‌କୁ ସମର୍ଥନ କରି ଜିଡିଏସ୍‌ମାନଙ୍କୁ ବିଭାଗୀୟ କର୍ମଚାରୀ ମାନ୍ୟତା ଦାବୀ କଲେ ସାଂସଦ ନିରଂଜନ ବିଶି

ଭୁବନେଶ୍ୱର /ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୀତକାଳୀନ ଅଧିବେଶନରେ ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଆଗତ ପୋଷ୍ଟ ଅଫିସ୍ ବିଲ୍ ୨୦୨୩ରେ ସାଂସଦ ନିରଞ୍ଜନ ବିଶି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନୂତନ ପୋଷ୍ଟ ଅଫିସ ବିଲ୍‌ ୨୦୨୩ ୧୨୫ ବର୍ଷର ପୁରୁଣା ଇଣ୍ଡିଆନ୍‌ ପୋଷ୍ଟ ଅଫିସ ଆକ୍ଟ ୧୮୯୮ ସଂଶୋଧନ କରୁଅଛି । ନୂଆଁ ବିଧେୟକକୁ ବିଜେଡି ତରଫରୁ ସାଂସଦ ଶ୍ରୀ ବିଶି ଡିଜିଟାଲ୍ ଯୁଗ ସହିତ ସମାନ୍ତରାଳ ଭାବେ ଡାକ ସେବାକୁ ଆଧୁନିକୀକରଣ କରିବାର ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନଲାଇନ୍ ସପିଂ, ଇ-ବାଣିଜ୍ୟ, ଡିଜିଟାଲ୍ ପେମେଣ୍ଟ ଭଳି ସେବାକୁ ଗ୍ରାମାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳରେ ଆର୍ଥିକ ପ୍ରଗତି କରିବା ପାଇଁ ସେ ଏହି ନିୟମ ପ୍ରଣୟନ କରିଥିବାରୁ ରେଲୱେ, ଦୂର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା କରିଥିଲେ । ଏଥିସହ ସାଂସଦ ଶ୍ରୀ ବିଶି ଦେଶର ୧ ଲକ୍ଷ ୫୬ ହଜାର ପୋଷ୍ଟ ଅଫିସରେ କାର୍ଯ୍ୟରତ ୨ ଲକ୍ଷ ୭୨ ହଜାର ଜିଡିଏସ୍ (ଗ୍ରାମୀଣ ଡାକ ସେବକ)ମାନେ ଡାକ ବିଭାଗର ସମସ୍ତ କାର୍ଯ୍ୟକ୍ରମ ଯଥା ଗ୍ରାମାଞ୍ଚଳର ଲୋକଙ୍କ ସଞ୍ଚୟ ଖାତା ଖୋଲିବା, ଗ୍ରାମୀଣ ପୋଷ୍ଟାଲ ଜୀବନବୀମା, ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ, ଦୈନିକ ସଂଚୟ ରାଶି ସଂଗ୍ରହ, ଚିଠି, ଘରକୁ ଘର ପାର୍ସଲ, ଉପକରଣ ବିତରଣ, ପୋଷ୍ଟାଲ ଜୀବନ ବୀମା, ଭତ୍ତା ପ୍ରଦାନ, ପ୍ରଭୃତି ସରକାରୀ କାର୍ଯ୍ୟ ସୁଚାରୁ ଭାବରେ ସମ୍ପାଦନ କରୁଥିବାରୁ ଗ୍ରାମୀଣ ଡ଼ାକ ସେବକ ତଥା ପୋଷ୍ଟ ମାଷ୍ଟରମାନଙ୍କୁ ବିଭାଗୀୟ କର୍ମଚାରୀ ମାନ୍ୟତା ପ୍ରଦାନ, ଗୋଷ୍ଠୀ ବୀମା ୫ ଲକ୍ଷକୁ ବୃଦ୍ଧି, ଗ୍ରାଚ୍ୟୁଇଟି ଦେଢ଼ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି, ୧୮୦ ଦିନ ଛୁଟି ବଦଳରେ ଟଙ୍କା ପ୍ରଦାନ, ସେବା ଡିସ୍‌ଚାର୍ଜ ସୁବିଧା ୩ % ପ୍ରତିଶତରୁ ୧୦%କୁ ବୃଦ୍ଧି, ଚିକିତ୍ସା ସୁବିଧା, ଘର ଭଡା ଭତ୍ତା, ଟିଏଡିଏ ଭତ୍ତା, ପ୍ରଦାନ କରିବା ପାଇଁ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଏହା ସହିତ କମଲେଶ ଚନ୍ଦ୍ର କମିଟି ରିପୋର୍ଟର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ଆବେଦନ କରିଥିଲେ । କମିଟି ସୁପାରିଶ ଅନୁସାରେ ଡ଼ାକ ସେବକମାନେ ଡାକ ବିଭାଗର ଆତ୍ମା ବା ମେରୁଦଣ୍ଡ । ଜିଡିଏସ୍ମାନେ ଡାକ ବିଭାଗର ସମସ୍ତ କାର୍ଯ୍ୟକ୍ରମର ସଫଳ ପରିଚାଳନା କରୁଛନ୍ତି । ବିନା ଆତ୍ମାରେ ମଣିଷ ବଞ୍ଚିବା କଷ୍ଟକର, ତେଣୁ ବିନା ଜିଡ଼ିଏ୍‌ସରେ ଡ଼ାକ ବିଭାଗ ବିକାଶ କରିବା ଅସମ୍ଭବ ବୋଲି କମିଟି ଦର୍ଶାଇଛନ୍ତି । ଶେଷରେ ସେ ତାଙ୍କ ଦଳ ତଥା ନେତା ବିଜୁ ଜନତା ଦଳ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଏହି ବିଲ୍‌କୁ ସମର୍ଥନ ଜଣାଇ ଡାକ ସେବାରେ ଉନ୍ନତି ଆଣିବା ଏବଂ ଗ୍ରାମାଞ୍ଚଳର ବିକାଶରେ ଏହି ବିଲ୍‌ର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି।

Leave A Reply

Your email address will not be published.