ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ

  • ଆପଣମାନେ ନିରାପଦରେ ଫେରି ଆସିଥିବାରୁ ମୁ ବହୁତ୍ ଖୁସି
  • ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ
  • ପ୍ରତ୍ୟେକ ଶ୍ରମିକ ଜଣେ ଜଣେ ହିରୋ, ପ୍ରତିକୂଳ ପରିସ୍ଥିତିରେ ଜୀବନ ପାଇଁ ସେମାନଙ୍କ ସଂଘର୍ଷର କାହାଣୀ ପ୍ରେରଣା ଦାୟକ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, : ଉତ୍ତରାଖଣ୍ଡ ଟନେଲ୍‌ରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ସେମାନେ ସମସ୍ତେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଧନ୍ୟବାଦ୍ ଦେଇଥିଲେ । ପ୍ରତ୍ୟେକ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ଟନେଲ୍ ଭିତରେ ସେମାନଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କଠାରୁ ଶୁଣିଥିଲେ । ସେମାନେ ବାସ୍ତବରେ ଜଣେ ଜଣେ ହିରୋ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରତିକୂଳ ପରିସ୍ଥିତିରେ ସେମାନେ ଯେପରି ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି ତାହା ବାସ୍ତବିକ୍ ପ୍ରେରଣା ଦାୟକ ବୋଲି ସେ କହିଥିଲେ । ଯେଉଁ ଶ୍ରମିକମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେମାନେ ହେଲେ ମୟୂରଭଞ୍ଜର ରାଜୁ ନାୟକ, ଧିରେନ୍ ନାୟକ ଓ ବିଶେଶ୍ୱର ନାୟକ ଏବଂ ନବରଙ୍ଗପୁରର ଭଗବାନ ଭତ୍ରା । ସେମାନଙ୍କ ସହିତ ସେମାନଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଶ୍ରୀ ପାଣ୍ଡିଆନ୍‌ ଗତକାଲି ସେମାନଙ୍କ ସହ ଭିଡ଼ିଓ ଜରିଆରେ ଆଲୋଚନା କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ଏହି ସାକ୍ଷାତ ସମୟରେ ଶ୍ରମ ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ନାୟକ ସେମାନଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଖବର ରଖିବା ପାଇଁ ଉତ୍ତରାଖଣ୍ଡ ଯାଇଥିଲେ ଓ ସମସ୍ତଙ୍କୁ ଧରି ଓଡ଼ିଶା ଫେରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମ କମିଶନ୍‌ର୍‌ ଉପସ୍ଥିତ ଥିଲେ ।

Leave A Reply

Your email address will not be published.