ଦୈନିକ ସକାଳର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ଼ସ୍‌ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନିକ ସକାଳର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ଼ସ୍‌ ଦିବସ ପାଳନ ହୋଇଯାଇଛି । ଦୈନିକ ସକାଳର ରାଉରକେଲା ପ୍ରତିନିଧି ଦେବବ୍ରତ ପଟ୍ଟନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର ଡ. ଉମାମହେଶ୍ବର ରାଓ, ସମ୍ମାନିତ ଅତିଥି ଭାବେ ଡିଏଫ୍‌ଓ ଯଶୋବନ୍ତ ସେଠୀ, ରାଜ୍ୟ ଯୁବ କଲ୍ୟାଣ ବିଭାଗର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କୁନବିହାରୀ ଦାସ ଓ ସାମ୍ବାଦିକ ଅବନୀ ରଞ୍ଜନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଏଡ଼ସ୍‌ ସଚେତନତା ପାଇଁ ତଥା ଅନୁଷ୍ଠାନର ସ୍ଵନକ୍ଷତ୍ର ପାଇଁ ସକାଳ ୭ଟାରୁ ଏକ ମିନି ମାରାଥନ ଆମ୍ବାଗାନ ଛକରୁ ବାହାରି ସେକ୍ଟର ୨ ଦୁର୍ଗା ପୂଜା ପଡିଆ ପର୍ଯ୍ୟନ୍ତ ଆସିଥିଲା । ସେଠାରେ ଅନିଲ ମଲ୍ଲିକଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏଡ଼ସ୍‌ ସମ୍ପର୍କିତ ଏକ କ୍ଷୁଦ୍ର ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା କଳାକାରଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସମାଜସେବୀ ଶଙ୍କର ଜେନା, ଡ.ସରିତା ମଲ୍ଲ, ନୀଳାମ୍ବର ପୁହାଣ, କେଦାର ହସ୍ପିଟାଲର ଶ୍ରୀ ବାଗ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଗରିମା ପରିବାରର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.