
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଭାରତୀୟ ଜନତା ପାର୍ଟି ପକ୍ଷରୁ ଟିଟିଲାଗଡ଼ ସହର ଓ ବ୍ଲକରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ଆଜି ଦୁଇଟି ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଥମେ ଟିଟିଲାଗଡ଼ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟଠାରୁ ଏକ ବିଶାଳ ରାଲି ବିଭିନ୍ନ ପ୍ରକାର ନାରା ସହ ବାହାରିଥିଲା । ରାଲି ପହଂଚିଥିଲା ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ । ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପସ୍ଥିତ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ତା’ପରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କରାଯାଇଥିଲା । ରାଜ୍ୟ ସରକାରଙ୍କ ଯୋଜନାରେ କିଭଳି ଦୁର୍ନୀତି ସ୍ଥାନୀୟ ମନ୍ତ୍ରୀଙ୍କ ଇଙ୍ଗିତରେ ହେଉଛି ତାହାକୁ ବନ୍ଦ କରାଯାଉ, ବ୍ଲକ ଅଧ୍ୟକ୍ଷା ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସମେତ ବ୍ଲକ କର୍ମଚାରୀ ଗୋଟିଏ କାମରେ ୩୦ ରୁ ୪୦ ପ୍ରତିଶତ ପିସି କାହିଁକି ନିଆଯାଉଛି । ଏଭଳି ପ୍ରଶ୍ନର ଉତ୍ତର ବ୍ଲକ ଉନ୍ନୟନ ଅଧିକାରୀ ସୁଶାନ୍ତ ରଣାଙ୍କୁ ପଚରା ଯିବାରୁ ସେ ଏହି ପ୍ରଶ୍ନମାନଙ୍କର ଉତ୍ତର ମଧ୍ୟ ପ୍ରଦାନ କରିଥିଲେ । ଗୋଟିଏ ପଟେ ବିଜେପି ନେତା ମୁକେଶ ଜୈନ ପ୍ରଶ୍ନ ପଚାରୁଥାଆନ୍ତି ଓ ଅନ୍ୟପଟେ ବିଡ଼ିଓ ଶ୍ରୀ ରଣା ଉତ୍ତର ଦେଉଥାନ୍ତି, ଯେମିତି ନ୍ୟୁଜ୍ ଚ୍ୟାନେଲ୍ରେ ୱାନ୍ ଟୁ ୱାନ୍ କାର୍ଯ୍ୟକ୍ରମ । ଶେଷରେ ସବୁ ଅଭିଯୋଗ ଶୁଣିବା ପରେ ବିଜେପି ପକ୍ଷରୁ ଏକ ଦାବିପତ୍ର ବ୍ଲକ ଉନ୍ନୟନ ଅଧିକାରୀ ଗ୍ରହଣ କରିଥିଲେ । ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ସହରର ୫ଟି ମନ୍ଦିର ପାଇଁ ଆସିଥିବା ଅନୁଦାନରୁ ପିସି ନମାଗିବା ପାଇଁ କହିଥିଲେ ଓ ଆଉ ଯଦି କିଏ ଏହି ଧର୍ମ କାର୍ଯ୍ୟରୁ ପିସି ନେବ, ତା’ହେଲେ ତାକୁ କୁଷ୍ଠ ରୋଗ ହେଉ ବୋଲି କହିଥିବା ଶୁଣିବାକୁ ମିଳିଥିଲା । ଏହି ଘେରାଉ ସମୟରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଜୈନ, ବିଜେପି ନେତା ମହେନ୍ଦ୍ର ଠାକୁର, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ, ସାଂସଦ ପ୍ରତିନିଧି ଆଲୋକ ନାୟକଙ୍କ ସମେତ ଅନ୍ୟାନ୍ୟ ବିଜେପି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।