jayashree

ଆସନ୍ତା ୨ ଓ ୩ରେ ବଙ୍ଗ ସାହିତ୍ୟ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ଆସନ୍ତା ୨ ଓ ୩ ତାରିଖ ଦିନ ଦାଣ୍ଡିଆପାଲିର ପଞ୍ଚମ ରେଷ୍ଟ ହାଉସ୍‌ଠାରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସମ୍ମିଳନୀର ଅଭ୍ୟର୍ଥନା କମିଟିର ସଦସ୍ୟ ସୁଚିସ୍ମିତା ବିଶ୍ଵାସ, ରାଉରକେଲା ଶାଖାର ସଭାପତି ପ୍ରଶାନ୍ତ କୁମାର ସୋମ, କାର୍ଯ୍ୟକ୍ରମର ସଂଯୋଜକ ଦିଲ୍ଲିପ କୁମାର ଭୁଇ ଓ ସାଂସ୍କୃତିକ ସଂଗଠନ ସଦସ୍ୟ ଡଃ ଅଞ୍ଜନା ମୈତ୍ର ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ, ଏହି ସମ୍ମିଳନୀରେ ୯ଟି ଶାଖାର ପ୍ରତିନିଧି ମଣ୍ଡଳୀ ଯୋଗଦେବେ । ୨ ତାରିଖ ଦିନ ଜାତୀୟ ପତାକା ସହ ସମ୍ମିଳନୀର ପତାକା ଉତ୍ତୋଳନ କରାଯିବ । ଏହି କାର୍ଯ୍ୟକ୍ରମରେ ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶା ଶାଖାର ସଭାପତି ମୈତ୍ରୀ ଘୋଷ, ସମ୍ପାଦକ ଆଶିଷ ଗୁପ୍ତା, ସର୍ବଭାରତୀୟ ଉପସଭାପତି ମୈତ୍ରୀ ଭଟ୍ଟାଚାର୍ଯ୍ୟ ସାଧାରଣ ସମ୍ପାଦକ ଅନୀଲ କୁମାର ଧଳ, ସାହିତ୍ୟିକ ଶୁଭଦାସ ଗୁପ୍ତା ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ଆରଏସ୍‌ପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ରାଜଗାଙ୍ଗପୁର ବିଧାୟକ ଡା ସିଂ ଏସ ରାଜନ ଏକ୍କା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁସ୍ତକ ‘ଶଙ୍ଖ’ ଉନ୍ମୋଚିତ ହେବ । ୩ ତାରିଖ ସକାଳ ସାଢେ଼ ୭ଟାରେ ଦାଣ୍ଡିଆପାଲୀରୁ ପ୍ରଭାତ ଫେରି ବାହାରି ବେଦବ୍ୟାସର ତ୍ରିବେଣୀ ସଙ୍ଗମ ପର୍ଯ୍ୟନ୍ତ ଯିବ । ଦିନ ୧୦ଟାରେ ସାହିତ୍ୟ ଚର୍ଚ୍ଚାରେ ମେହୁଆ ଦାସ ଗୁପ୍ତା, ଆଲୋକ ବନ୍ଧୋପଧ୍ୟାୟ, ଡଃ ଶୁଭ୍ରା ଚାଟାର୍ଜୀ ଯୋଗଦେଇ ଆଲୋଚନା କରିବେ । ସାଢେ଼ ୧୧ଟାରେ ବଙ୍ଗୀୟ ଚଳଚ୍ଚିତ୍ରରେ ବଙ୍ଗୀୟ ସାହିତ୍ୟର ପ୍ରଭାବ ଉପରେ ଚର୍ଚ୍ଚା ହେବ । ଏଥିରେ ସଭାପତି ଦୀପଙ୍କର ମୁଖୋପାଧ୍ୟାୟ, ଝରଣା କର, ଇନ୍ଦ୍ରଜିତ ଗୁପ୍ତା, ସମିତା ରକ୍ଷିତ ଯୋଗଦେବେ । ଏହାପରେ ବଙ୍ଗୀୟ ଭାଷା ସହିତ ଆଞ୍ଚଳିକ ଭାଷାକୁ ନେଇ ଏକ ଆଲୋଚନା ଚକ୍ର କରାଯିବ । ଏହି ଆଲୋଚନାରେ ଡଃ ପ୍ରଭାତ କୁମାର ମଲ୍ଲିକ, ପି ବିଶ୍ୱାସ, ରମେଶ ପାତ୍ର ପ୍ରମୁଖ ଯୋଗଦେବେ । ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.