ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କାର୍ଯ୍ୟାଳୟ ସ୍ଥିତ ସଭା ଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦାନ କରିଥିଲେ । ଏହି ଅବସରରେ ଏବିଇଓ ସତ୍ୟନାରାୟଣ ମଟାରୀ, ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ବ୍ଲକ ଉପାଧ୍ୟକ୍ଷ ସୁଖିରାମ୍ ଷାଣ୍ଡ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍କ ବିଭାର, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିକାଶ ବାର୍ଲା, ଶିଶୁ ମଙ୍ଗଳ ସମିତି ସଭ୍ୟ ଲୀନା ବାବୁ, ଅଧ୍ୟକ୍ଷ ଲମ୍ବୋଦର ଦୀପ, ଭାରପ୍ରାପ୍ତ ସିଡିପିଓ ଅଞ୍ଜଳି ମିଶ୍ରଙ୍କ ଉପସ୍ଥିତରେ ଲୋଗୋ ଉନ୍ମୋଚନ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା ପୋଷ୍ୟ ସନ୍ତାନ ଗ୍ରହଣ, କିଶୋର ନ୍ୟାୟ ଆଇନ, ଶିଶୁ ଗୃହ ଉପରେ ଓ ବିଭିନ୍ନ ଯୋଜନାର ସଫଳତାର ଉଦାହରଣ ବିଶଦ ଭାବରେ ଜଣାଇଥିଲେ । ଏହି ଅବସରରେ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ପୃଷ୍ଠପୋଷକତା ସହାୟତା ରାଶି, ଫୋଷ୍ଟର୍ କେୟାର ବା ଶିଶୁଙ୍କ ଲାଳନ ପାଳନ ଯତ୍ନ ଓ ମିଶନ୍ ବାତ୍ସଲ୍ୟର ମାର୍ଗଦର୍ଶିକାରେ ଗ୍ରାମ ପଞ୍ଚାୟତର ଜିପିଡିପିର ବାର୍ଷିକ ଯୋଜନାରେ ୫% ଅନୁଦାନ ସ୍ଵତନ୍ତ୍ର ଭାବେ ରଖି କାର୍ଯ୍ୟକାରୀ କରିବାକୁ ବ୍ୟବସ୍ଥା ଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କ ଯତ୍ନ ନିମନ୍ତେ ଖର୍ଚ୍ଚ କରିପାରିବେ ବୋଲି ପୁଙ୍ଖାନୁପୁଙ୍ଖ ଭାବେ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଗଣମାଧ୍ୟମ ପ୍ରତିନିଧି, ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମନୋରଞ୍ଜନ ଥନାପତି, ସୁଶିଲ କୁମାର ନନ୍ଦ, ଲକ୍ଷ୍ମୀନାରାୟଣ ବିଶି, କୈଳାସ ନନ୍ଦ, ଆଶିଷ ଶବର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।