ବୌଦ୍ଧ ଜିଲ୍ଲା ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୨୪ କୋଟି ଟଙ୍କା ମଞ୍ଜୁର
- ଉପକାର ପାଇବେ ବୌଦ୍ଧର ଜନସାଧାରଣ
- ଭୂତଳ ଜଳର ସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦିରେ ହେବ ସହାୟକ
- 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ, ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ପ୍ରକଳ୍ପ ଅନୁମୋଦନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୨୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ପ୍ରକଳ୍ପଟି ହେଉଛି – ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ । ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।
ଏହାଦ୍ବାରା ବୌଦ୍ଧ ଜିଲ୍ଲାର ଜନସାଧାରଣ ଉପକୃତ ହେବେ । ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ ।