ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ସତଲମା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ୍‌ସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବ ପାଳିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ବ୍ଲକ ବିଜ୍ଞାନ ସଂସଦର ସଭାପତି ତଥା ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ମହରା ସଭାପତିତ୍ୱ କରିଛନ୍ତି । ବରଗଡ଼ ଜିଲ୍ଲାର ଅତିରିକ୍ତ ଶିକ୍ଷାଧିକାରୀ ଛତ୍ରପତି ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ସଭାରେ ସତଲମା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କଳ୍ପନା ନାଏକ, ସମିତି ସଭ୍ୟା ଶ୍ରୀମତୀ ଶାନ୍ତି ନାଏକ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସଞ୍ଜୁକ୍ତା ସାହୁ ଓ ନାରାୟଣ ଭୁଏ, ପ୍ରଧାନ ଶିକ୍ଷକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରପାଲି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଛନ୍ତି । ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରତ୍ନ କୁମାର ଭୋଇ ସଭାରେ ବିଜ୍ଞାନ ପ୍ରଦର୍ଶନୀର ଉଦ୍ଦେଶ୍ୟ ଜ୍ଞାପନ ଓ ସ୍ୱାଗତ ଭାଷଣ ଦେଇଛନ୍ତି । ସରକାରୀ ଉଚ୍ଚ ବିଦ୍ୟାଳୟ, ସତଲମାର ପ୍ରଧାନ ଶିକ୍ଷକ ଡୋଳାମଣି ପଟେଲ ବିଜ୍ଞାନ ମେଳାର ବିବରଣୀ ଉପସ୍ଥାପନ କରିଛନ୍ତି । ବରପାଲି ବ୍ଲକର ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ମୋଟ ୧୫୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଛି । ତନ୍ମଧ୍ୟରୁ ୫ଟି ବିଭିନ୍ନ ଥିମରେ ପ୍ରଥମ ସ୍ଥାନ ପାଇଥିବା ୫ଟି ପ୍ରକଳ୍ପ ଜିଲ୍ଲା ସ୍ତରରେ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବରେ ଯୋଗ ଦେବାକୁ ମନୋନୀତ କରାଯାଇଛି । ଅନ୍ୟବ୍ଲକର ଚାରିଜଣ ବିଜ୍ଞାନ ଶିକ୍ଷକଙ୍କ ଦ୍ୱାରା ବିଚାର କରି ମନୋନୀତ କରାଯାଇଛି । ପରିବେଶରେ ଜୀବନ ଶୈଳୀରେ ସରକାରୀ ଉଚ୍ଚ ବିଦ୍ୟାଳୟ କନବାରର ଛାତ୍ରୀ ନବଶ୍ରୀ ଭୁଏ, କୃଷିରେ ସରକାରୀ ଉଚ୍ଚ ବିଦ୍ୟାଳୟ ସତଲମାର ଲକ୍ଷ୍ମୀକାନ୍ତ ଛତ୍ରିଆ, ପରିବହନରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଲେଣ୍ଡାର ପ୍ରିୟା ମାଝୀ, ସ୍ଵାସ୍ଥ୍ୟରେ ସରକାରୀ ଉପ୍ରା ବିଦ୍ୟାଳୟ ତୁଲଣ୍ଡିର ରୋଜି ସାହୁ ଓ କମ୍ପୁଟିଙ୍ଗ୍‌ରେ ସରକାରୀ ଉପ୍ରା ବିଦ୍ୟାଳୟ କୁମ୍ଭାରୀର ପ୍ରିତିଷା ଭୋଇ ପ୍ରଥମ ସ୍ଥାନରେ ମନୋନୀତ ହୋଇ ଜିଲ୍ଲା ସ୍ତରରେ ଯୋଗଦେବା ପାଇଁ ମନୋନୀତ ହୋଇଛନ୍ତି । ପ୍ରାଥମିକ(ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ) ସ୍ତରରେ ମନିଷା ପଧାନ ସମଲେଇପଦର ଉପ୍ରା ବିଦ୍ୟାଳୟ, ଆର୍ୟନ ପଧାନ ବୁରୋମୁଣ୍ଡା ଉପ୍ରା ବିଦ୍ୟାଳୟ ଓ କଟାପାଲି ଉଚ୍ଚ ବିଦ୍ୟାଳୟର ନିପୁନ ସାହୁଙ୍କୁ ସ୍ୱତନ୍ତ୍ର ଜୁରି ଆୱାର୍ଡରେ ସମ୍ମାନିତ କରାଯାଇଛି । ଉତ୍ସବରେ ଉଦ୍‌ଯାପନୀ ସଭାରେ ଜିଲ୍ଲା ଶିକ୍ଷା ଧିକାରୀ ବରଗଡର ମିତ୍ରଭାନୁ କଚ୍ଛପ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ବରପାଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନା ଥଇତ, ଅତିରିକ୍ତ ଜିଲ୍ଲାପାଳ କୁମାର ନାଗଭୁଷଣ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜ୍ୟୋତି କାନ୍ତ ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରଜ ପଟ୍ଟନାୟକ ଓ ବରପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାଣ୍ଡେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାରଗର୍ଭକ ଭାଷଣ ମାଧ୍ୟମରେ ଶିଶୁ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଛନ୍ତି । ବରପାଲି ବ୍ଲକର ବିଜ୍ଞାନ ସଂସଦର ସଭାପତି ତଥା ବିଇଓ ମୁକୁନ୍ଦ ମାହରା ଉଦ୍‌ଯାପନୀ ସଭାରେ ସଭାପତିତ୍ୱ କରିଛନ୍ତି । ବରଲାବାହାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୋହନ ପ୍ରଧାନ ମଞ୍ଚ ପରିଚାଳନା କରିଛନ୍ତି । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିବେଦିତା ସ୍ଵାଇଁ ଅତିଥି ପରିଚୟ ପ୍ରଦାନ କରିଛନ୍ତି । ମୁଖ୍ୟ ଅତିଥିଙ୍କ କରକମଳରେ ପୁରସ୍କାର ବଣ୍ଟନ କରାଯାଇଛି । ବ୍ଲକ ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ସାହୁ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବରପାଲି ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷିକା, ସିଆର୍‌ସିସି, ଅଣଶୈକ୍ଷିକ କର୍ମଚାରୀ, ପ୍ରଧାନ ଶିକ୍ଷକ ଗଣ, ସତଲମା ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟ କମିଟି, ସ୍କାଉଟ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଗଣ ସହଯୋଗ କରିଛନ୍ତି ।

Leave A Reply

Your email address will not be published.