- ଟେଣ୍ଡର ଅବଧି ଶେଷ ପରେ ବି ସମ୍ପୂର୍ଣ୍ଣ ହୋଇନି ୧କୋଟି ଟଙ୍କାର ଛାତ୍ରୀ ନିବାସ କାମ
- ଠିକାଦାରଙ୍କୁ କୈଫିୟତ ତଲବ ସହ ଜରିମାନା
- ଶ୍ରମିକଙ୍କ ସୁରକ୍ଷାକୁ ସମ୍ପୂର୍ଣ୍ଣ ଅଣଦେଖା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ ସ୍କୁଲ, କଲେଜକୁ ୫ଟି ଯୋଜନାରେ ସାମିଲ କରି କୋଟି କୋଟି ଟଙ୍କା ବ୍ୟୟରେ ଆଧୁନିକ ଶିକ୍ଷା ପଦ୍ଧତିରେ ଶିକ୍ଷାଦାନ କରୁଥିବା ବେଳେ ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲ (ନିବାସ) ଗୁଡ଼ିକର ନୂତନ ନିର୍ମାଣ ଓ ସୁରକ୍ଷାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଥିବାର ଅଭିଯୋଗ ହୋଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମା ଘଣ୍ଟବାହାଲ ଗ୍ରାମରେ ୧ କୋଟି ଟଙ୍କାରେ ନିର୍ମାଣାଧୀନ ଥିବା କସ୍ତୁରବା ଗାନ୍ଧୀ ଛାତ୍ରୀ ନିବାସ କୋଠା ନିର୍ମାଣ କାମରେ । ବହୁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ୧ କୋଟି ଟଙ୍କାର ଛାତ୍ରୀ ନିବାସ କୋଠା ନିର୍ମାଣ କାମକୁ ଦାୟିତ୍ଵ ନେଇଥିବା କୋଶଳ ବିଲଡକନ ନାମକ କମ୍ପାନୀ ତଥା ଏହାର ଠିକାଦାର ଜଣଙ୍କ ଟେଣ୍ଡର ଅବଧି ଶେଷ ପରେ ବି ସମ୍ପୂର୍ଣ୍ଣ କରିପାରିନଥିବା ଗୁରୁତର ଅଭିଯୋଗ ହୋଇଛି । ଫଳରେ ଦାୟିତ୍ଵ ନେଇଥିବା କମ୍ପାନୀ ଓ ଠିକାଦାରଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ କୈଫିୟତ ତଲବ, ପୁଣି ଥରେ ଟେଣ୍ଡର ଅବଧି ବୃଦ୍ଧି ପାଇଁ ଦରଖାସ୍ତ ଦାଖଲ ସହ ଜରିମାନା ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି । ବହୁ ବିଳମ୍ବରେ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦୀର୍ଘଦିନ ପର୍ଯ୍ୟନ୍ତ କାମ କରୁଥିଲେ ମଧ୍ୟ ଏହି କୋଠା କାମ ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ । ଅତି ମନ୍ଥର ଗତିରେ ଚାଲୁଥିବା କୋଠା ନିର୍ମାଣ କାର୍ଯ୍ୟ ସମ୍ପର୍କରେ କୋଠା ଆଖପାଖରେ କୌଣସି ସୂଚନା ଫଳକ ଦେଖିବାକୁ ମିଳୁନାହିଁ । ଦୁଇ ମହଲା କୋଠା ନିର୍ମାଣ କାର୍ଯ୍ୟ ଚାଲୁଥିଲେ ମଧ୍ୟ କାମ କରୁଥିବା ଶ୍ରମିକ, ମିସ୍ତ୍ରୀମାନଙ୍କୁ କୌଣସି ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉନଥିବାରୁ ବିନା ସୁରକ୍ଷା ଉପକରଣରେ ଶ୍ରମିକମାନେ କାମ କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି । ଅତି ନିମ୍ନମାନର କାମ ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ କାମ ଶେଷ ହୋଇନଥିବାରୁ ଛାତ୍ରୀମାନଙ୍କ ସୁରକ୍ଷାକୁ ସମ୍ପୂର୍ଣ୍ଣ ଅଣଦେଖା ଅଭିଯୋଗ ହୋଇଛି । ପ୍ରତିଦିନ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ କାମ ତଦାରଖ କରୁନଥିବାରୁ ଉପସ୍ଥିତ ଥିବା ମୁନସୀ ନିଜେ ସବୁ କାମ ବୁଝୁଥିବା ପ୍ରକାଶ କରିଛନ୍ତି । ନୂତନ କୋଠା ନିର୍ମାଣ ପାଇଁ ପୂର୍ବରୁ ଥିବା କେଜିବିଭି ସ୍କୁଲ ପାଚେରୀକୁ ଭାଙ୍ଗି ଦେଇ ବର୍ଷ ବର୍ଷ ଧରି କାମ ଚାଲିଥିବାରୁ ଛାତ୍ରୀମାନେ ଅତ୍ୟନ୍ତ ଅସୁରକ୍ଷିତ ଭାବେ ହଷ୍ଟେଲରେ ରହୁଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଥିବା କେଜିବିଭି ହଷ୍ଟେଲରେ ୧୦୦ଜଣ ଛାତ୍ରୀ ରହିବା ସ୍ଥାନରେ ଏବେ ୯୩ଜଣ ଛାତ୍ରୀ ରହୁଥିବା ହଷ୍ଟେଲ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ମୁରିବାହାଲ ବିଇଓ ଶାନ୍ତନୁ କୁମାର ପଢ଼ିହାରୀଙ୍କୁ ପଚାରିବାରୁ ମୋ ସହିତ ଡିଇଓ ଓ ଅନ୍ୟ ଉଚ୍ଚ ଅଧିକାରୀ ହଷ୍ଟେଲ ନିର୍ମାଣ କାର୍ଯ୍ୟ ତଦାରଖ କରି ଶୀଘ୍ର କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଦାୟିତ୍ୱରେ ଥିବା ଠିକାଦାର କାମ ଶେଷ କରୁନଥିବା ପ୍ରକାଶ କରିଛନ୍ତି । ଟେଣ୍ଡର ପାଇ ବର୍ଷ ବର୍ଷ ଧରି କାମ ଶେଷ ନକରି ଅତ୍ୟନ୍ତ ନିମ୍ନମାନର କାମ କରୁଥିବା ବଲାଙ୍ଗିର କୋଶଳ ବିଲଡକନର ସତ୍ୱାଧିକାରୀ ତଥା ଠିକାଦାରଙ୍କୁ ମତାମତ ପାଇଁ ତାଙ୍କ ମୋବାଇଲରେ ବାରମ୍ବାର ଯୋଗଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ହଷ୍ଟେଲ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ବ୍ଲକ ଟେକନିକାଲ କନସଲଟାଣ୍ଟ ନାଗେଶ ହରପାଲଙ୍କୁ ପଚାରିବାରୁ ୯୯.୫୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ହଷ୍ଟେଲ କାର୍ଯ୍ୟ ଟେଣ୍ଡର ପାଇଥିବା କୋଶଳ ବିଲଡକନର ଟେଣ୍ଡର ଅବଧି ଅକ୍ଟୋବରରେ ଶେଷ ହୋଇଥିଲେ ମଧ୍ୟ କାମ ଅସମ୍ପୂର୍ଣ୍ଣ ରହିଛି ।ଟେଣ୍ଡର ଅବଧି ଶେଷ ପରେ ଡିଆରଡିଏ ରୁ କୈଫିୟତ ତଲବ ହେବାରୁ ପୁଣି ଅବଧି ବୃଦ୍ଧି ପାଇଁ ଠିକାଦାର ଆବେଦନ କରିଥିବା ଓ ମୁଁ କେବଳ କାମ ତଦାରଖ କରୁଛି ବୋଲି ସେ ପ୍ରକାଶ କରିଛନ୍ତି । ବହୁ ଦୂରଦୂରାନ୍ତରୁ ଆସି ପାଠ ପଢି ଭବିଷ୍ୟତ ଗଠନ କରିବାକୁ ଆସିଥିବା ଶତାଧିକ ଛାତ୍ରୀଙ୍କ ପାଇଁ ନିର୍ମିତ ଦୁଇ ମହଲା ଛାତ୍ରୀ ନିବାସ କୋଠା ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ବିଳମ୍ବକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାରୁ ବଲାଙ୍ଗିର ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ।