ଟିଟିଲାଗଡ ଓମ୍‌ ଭ୍ୟାଲି ସ୍କୁଲରେ ଉଦ୍‌ଯାପିତ ହେଲା ଦ୍ଵିତୀୟ କ୍ଲଷ୍ଟରସ୍ତରୀୟ ଭଲିବଲ ପ୍ରତିଯୋଗିତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଉତ୍ସାହ ଉଦ୍ଦୀପନାର ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଉଦ୍‌ଘାଟିତ ହୋଇଥିବା ତ୍ରିଦିବସୀୟ ଦ୍ଵିତୀୟ କ୍ଲଷ୍ଟର୍‌ସ୍ତରୀୟ ଭଲିବଲ ପ୍ରତିଯୋଗିତା ଗୁରୁବାର ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଶିକ୍ଷା, ସଂସ୍କୃତି ଏବଂ ସମ୍ଭାବନା ସୃଷ୍ଟିର ଉତ୍ତମ ଭିତ୍ତିଭୂମି ଓମ୍‌ଭେଲି ବିଦ୍ୟାଳୟ ପରିସରରେ ଗତ ୩୧ ତାରିଖ ଠାରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାର ଗୁରୁବାର ଦିନ ଥିଲା ତୃତୀୟ ତଥା ଅନ୍ତିମ ଦିବସ । ମୋଟ ୪୪ଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ । ବାଳକ ବର୍ଗରେ ନର୍ଥ ପଏଣ୍ଟ ସିଲିଗୁଡି ଦଳ ଚମ୍ପିୟାନ ହୋଇଥିବା ବେଳେ ଡି.ପି.ଏସ୍ ସିଲିଗୁଡି ଦଳ ଉପବିଜେତା ହୋଇ ଜାତୀୟସ୍ତରରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି । ଏହି କ୍ରମରେ ବି.ଏସ୍.ଏଫ୍ ସିଲିଗୁଡି ଦଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବାଳିକା ବର୍ଗରେ ଜି.ଡି. ଗୋଏଙ୍କା ସିଲିଗୁଡି ଦଳ ଚମ୍ପିୟାନ ହୋଇଥିବା ବେଳେ ଟି.ଆଇ.ଜି.ପି.ଏସ୍. ସିଲିଗୁଡି ଦଳ ଉପବିଜେତା ହୋଇ ଜାତୀୟ ସ୍ତରରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି । ଦିଲ୍ଲୀ ପବ୍ଲିକ ସ୍କୁଲ ଭିଲାଇ ଦଳକୁ ତୃତୀୟ ସ୍ଥାନ ମିଳିଛି । ବାଳିକା ବର୍ଗରେ ସର୍ବୋତ୍ତମ ସେଟର ଇଭା ସାହା (ଜି.ଡି ଗୋଏଙ୍କା), ଅଫକମିଙ୍ଗ୍‌ ଖେଳାଳୀ ସୁଭିକ୍ଷା ସୁବା, (ଟି.ଆଇ.ଜି.ପି.ଏସ୍), ଟୁର୍ଣ୍ଣାମେଣ୍ଟର ସର୍ବୋତ୍ତମ ଖେଳାଳୀ ଦିବ୍ୟାଙ୍କା ଗୋଲେ (ଜି.ଡି ଗୋଏଙ୍କା) ଏବଂ ବାଳକ ବର୍ଗରେ ସର୍ବୋତ୍ତମ ସେଟର କର୍ମନ୍ୟ ସିଂ (ଡି.ପି.ଏସ ସିଲିଗୁଡି), ସର୍ବୋତ୍ତମ ଅଫକମିଙ୍ଗ ସଚିନ ରାଜ ଗୁପ୍ତା (ଏନ୍.ପି.ଆର ସିଲିଗୁଡି), ଟୁର୍ଣ୍ଣାମେଣ୍ଟର ସର୍ବୋତ୍ତମ ଖେଳାଳୀ ଦେବାନିକ କୁଣ୍ଡୁ (ଏନ୍ ପି ଆର ସିଲିଗୁଡି)ଙ୍କୁ ସ୍ଵତନ୍ତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ପର୍ଯ୍ୟବେକ୍ଷକ ମହମ୍ମଦ ସମିମ୍ ଖାଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୧୧ ଜଣ ଆନ୍ତର୍ଜାତୀୟ, ଜାତୀୟ ଏବଂ ରାଜ୍ୟ ସ୍ତରୀୟ ବିଚାରକ ବିନୋଦ ନାୟାର, ନିରଞ୍ଜନ ନାୟକ, ଦୁର୍ଗା ପ୍ରସାଦ ପଟ୍ଟନାୟକ, ଅଭୟ ଗନୋନକର, ମଧୁସୂଦନ ହନୋନେ, ସଞ୍ଜିବ ଚାନ୍ଦ, ଭି.ଏନ୍.ସୋନି, ରାକେଶ ସିଂ, ସଞ୍ଜୟ ବଳ, ଚେଦିଲାଲ ପାଣ୍ଡେ, ଆଶୁତୋଷ ପ୍ରମୁଖ ଖେଳ ପରିଚାଳନା କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଗଣ ଟ୍ରଫି ପ୍ରଦାନ କରିଥିଲେ । ଅନ୍ତିମ ପ୍ରତିଯୋଗିତାରେ ଓମ୍‌ଭେଲି ବିଦ୍ୟାଳୟର ସଂସ୍ଥାପକ ତଥା ଚେୟାରମେନ୍‌ ଲାୟନ ଦୀପକ କୁମାର ସାହୁ, ମୁଖ୍ୟ ଅତିଥି, ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ବିଭାରାଜ ଗୁପ୍ତା ସମ୍ମାନିତ ଅତିଥି, ବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ଵର ପ୍ରସାଦ ମିଶ୍ର, ପର୍ଯ୍ୟବେକ୍ଷକ ମହମ୍ମଦ ସମିମ୍ ଖାଁ ଏବଂ ଖେଳ ବିଚାରକମାନେ ଯୋଗଦେଇ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ । ଭବ୍ୟ ମଞ୍ଚରେ ବିଚାରକ ମଣ୍ଡଳୀଙ୍କୁ ଉପଢୌକନ ସହିତ ସମ୍ମାନିତ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ସସ୍ମିତା ଦଳେଇ । ମୁଖ୍ୟ ଅତିଥି ଲାୟନ ଦୀପକ କୁମାର ସାହୁ ନିଜ ଅଭିଭାଷଣରେ କ୍ରୀଡ଼ାବିତ୍‌ମାନଙ୍କୁ କ୍ରୀଡାର ମହତ୍ତ୍ଵ ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଅନ୍ୟ ସମସ୍ତ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ ଏବଂ ସହଯୋଗ କ୍ରମେ ପ୍ରତିଯୋଗିତାଟି ସମ୍ପୂର୍ଣ୍ଣ ସଫଳତାର ସହିତ ଉଦ୍‌ଯାପିତ ହୋଇଛି । କାର୍ଯ୍ୟକ୍ରମ ସରିବା ପରେ ଓମ୍‌ ଭ୍ୟାଲି ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତି ସୁନ୍ଦର ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!