ଝାରମୁଣ୍ଡାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପୂର୍ବରୁ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା । ସଂଘର ବ୍ଲକ ସଭାପତି ଦଶରଥ ଛତ୍ରିଆଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଏଥିସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ଯୋଜନା, ଆଦିବାସୀ ସଶକ୍ତିକରଣ ଯୋଜନା, ମହିଳା ସଶକ୍ତିକରଣ ଯୋଜନା ଉପରେ ଆଲୋଚନା କରାଯାଇଥିଲା । ନକଲି ଆଦିବାସୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟସ୍ତରୀୟ ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସମ୍ବଲପୁର ଟାଲଟୁଲ ନୀତି ଅବଲମ୍ବନ ନ କରି ତ୍ୱରାନ୍ୱିତ କରିବାକୁ ଦାବୀ କରାଯାଇଥିଲା । ଅଣ- ଆଦିବାସୀଙ୍କ ଜବରଦଖଲରେ ଥିବା ଆଦିବାସୀ ମାନଙ୍କ ଜମି ଫେରସ୍ତ, ଜମି ହସ୍ତାନ୍ତର ଅନୁମତି ବନ୍ଦ, ଆଦିବାସୀ ଏବଂ ଅନ୍ୟାନ୍ୟ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ବେଛାପରି ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟ ଗୁଡିକରେ ସିଟର ଅଭାବ ହେଉଥିବାରୁ ସିଟ ବୃଦ୍ଧି କରିବା, ଏଟ୍ରୋସିଟି କେଶରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା, ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା ସହିତ କେନ୍ଦ୍ର ସରକାର କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର କରିବା, ଆବାସ ପୋର୍ଟାଲ ଖୋଲି ଗରିବ ଆଦିବାସୀଙ୍କୁ ଆବାସ ପ୍ରଦାନ, ଆଦିବାସୀ ଭାଷା, ମୁଣ୍ଡାରୀ, ଭୂମିଜ, ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଅନୁମୋଦନ କରିବା, ଆଦିବାସୀ ଅଧ୍ୟୁଷିତ ଗାଁ ମାନଙ୍କରେ ଇଣ୍ଟରନେଟରେ ପାଠ ପଢିବା ଓ ଅନଲାଇନ କାର୍ଯ୍ୟ ପାଇଁ ନେଟୱର୍କ ସଂଯୋଗ ବ୍ୟବସ୍ଥା କରିବା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଉପରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ । ଅନୁସୂଚିତ ଜାତି ତଥା ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ, ସେବାଶ୍ରମ ଓ କନ୍ୟାଶ୍ରମ ଗୁଡିକରେ ସିଟ୍‌ ସଂଖ୍ୟା ବୃଦ୍ଧି କରିବା, ହଷ୍ଟେଲ ବୃଦ୍ଧି କରିବା, ଶିକ୍ଷକ ପଦବୀ ପୂରଣ କରିବା, ଆଦିବାସୀ ମାନଙ୍କ ପାଇଁ ଖାଲି ପଡ଼ିଥିବା ପଦବୀ ଗୁଡିକୁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟାରେ ପୂରଣ କରିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ, ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ପାଟଣାଗଡ ବ୍ଲକ ସଭାପତି ଭୁବନେଶ୍ୱର କୁଅଁର, ଆଗଲପୁର ବ୍ଲକ କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଧରୁଆ, ବଲାଙ୍ଗିର ବ୍ଲକ ସଭାପତି ପାଲେଶ୍ୱର ଭୋଇ, ପାଟଣାଗଡ ବ୍ଲକ ସମ୍ପାଦକ ସାରଥୀ ବାଗ, ସଇଁତଳା ବ୍ଲକ ସଭାପତି ସନ୍ତୋଷ ପୁଟା, ଦେଓଗାଁ ବ୍ଲକ ସଭାପତି ସୁରଥ ଧରୁଆ, ଗୋପାଳ ପଧାନ, ଗୌନ୍ତିଆ ସଦାନନ୍ଦ ଧରୁଆ ପ୍ରମୁଖ ମଞ୍ଚାସୀନ ଥିଲେ । ଭଗବାନ ଧରୂଆ, ବିନୋଦ ବିହାରୀ ମଲ୍ଲିକ, ପବିତ୍ର ଧରୁଆ, ବାଳକୃଷ୍ଣ ଧରୁଆ, ବିଶିକେଶନ୍ ମିର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ । ସତ୍ୟମ୍ ଦଳପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପବିତ୍ର ଧରୁଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!