ପୋଲିସ ପେଟ୍ରୋଲିଂ ବେଳେ ୧୦ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ହରିଶଙ୍କର ଛକ ନିକଟରେ ପେଟ୍ରୋଲିଂ ବେଳେ ପୋଲିସ ୪ ଶିଶୁ ସମେତ ୬ ଜଣ ଦାଦନ ଶ୍ରମିକଙ୍କୁ ବୁଧବାର ଅପରାହ୍ନ ସମୟରେ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ଖପ୍ରାଖୋଲ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅପରାହ୍ନ ସମୟରେ ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ହରିଶଙ୍କର ଛକ ପାଖରେ ପେଟ୍ରୋଲିଂ ଚାଲିଥିବା ବେଳେ ଗୋଟିଏ ଅଟୋ ଯୋଗେ ବେଆଇନ ଦାଦନ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ଅଟୋକୁ ଅଟକାଇ ସେଥିରେ ଯାଉଥିବା ଶ୍ରମିକମାନଙ୍କୁ ପଚରା ଉଚୁରା କଲା ପରେ ସେମାନଙ୍କୁ ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଖଲବାହାଲ ଗ୍ରାମର ଯାଦବ ବରିହା(୩୭) ନାମକ ଦାଦନ ସର୍ଦ୍ଦାର ପ୍ରଥମେ ଲାଠୋର ଏବଂ ପରେ ବାହାର ରାଜ୍ୟକୁ ବେଆଇନ ଭାବେ ଚାଲାଣ କରୁଥିବା ପ୍ରକାଶ କରିଥିଲେ । ଏହାପରେ ସମସ୍ତଙ୍କୁ ଖପ୍ରାଖୋଲ ଥାନାକୁ ଅଣାଯାଇଥିଲା । ଶ୍ରମିକମାନେ ଲରମ୍ଭା ଥାନା ଅନ୍ତର୍ଗତ ଗାଁଭଟଲି ଏବଂ ବଡଉଡେନ ଗ୍ରାମର ବୋଲି କହିଥିଲେ । ମୋଟ ୪ ଜଣ ପୁରୁଷ, ୨ ଜଣ ମହିଳା ଓ ୪ ଜଣ ଶିଶୁଙ୍କୁ ପୋଲିସ ଉଦ୍ଧାର କରି ନିଜ ନିଜ ଘରକୁ ପଠାଇ ଦେଇଥିବା ଜଣାପଡିଛି । ବେଆଇନ ଦାଦନ ଚାଲାଣ ଅଭିଯୋଗରେ ଦାଦନ ସର୍ଦ୍ଦାର ଯାଦବ ବରିହାଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୧୫/୨୦୨୩ରେ ଭାରତୀୟ ପେନାଲ କୋର୍ଟର ଧାରା ୩୭୪/୪୨୦/୧୨୦ବି/୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!