ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜିଲ୍ଲାର ଶୁଭାରମ୍ଭ ହୋଇଛି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ଟିଟିଲାଗଡ଼ ହାଇସ୍କୁଲ୍ ଖେଳ ପଡିଆ, ସଇଁତଳା ଓ ଗୁଡଭେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାରେ ୧୫୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୯୧୧ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମ ଗାଁ ଗୁଡିକ ବିକାଶର ଶିଖରରେ ପହଞ୍ଚାଇବ । ସବୁ ଗାଁର ବିକାଶ ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ଆଭାଷି ମାଧ୍ୟମରେ ଜନ ସାଧାରଣଙ୍କୁ ସମ୍ବୋଧନ କରିଥିଲେ । ଏଥିରେ ଟିଟିଲାଗଡ଼ ବ୍ଲକରେ ୩୪୦ ଗୋଟି ପ୍ରକଳ୍ପ ଅନୁମୋଦନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ର ଉପ-ଜିଲ୍ଲାପାଳ ଦୟାମୟ ପାଢ଼ୀ, ବିଡ଼ିଓ ସୁଶାନ୍ତ ରଣାଙ୍କ ସହ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି, ବିଜୁ ଜନତା ଦଳର କର୍ମକର୍ତ୍ତା ଏବଂ ବହୁ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ଥିଲେ ।