ଲୋଇସିଂହା, (ବିମଳେନ୍ଦୁ ସାହୁ) : ବହୁବିଧ ଦୁର୍ନୀତିକୁ ନେଇ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମ ପଂଚାୟତ ପୂର୍ବରୁ ଚର୍ଚ୍ଚାରେ ରହିବା ସହିତ ଖବରର ଶିରୋନାମା ପାଲଟିଛି । ଭିଜିଲାନ୍ସ ଟିମ୍ ଏହି ପଂଚାୟତର ଦୁର୍ନୀତି ଉପରେ ଖୋଳତାଡ କରିବା ସହିତ ପୂର୍ବତନ ସରପଞ୍ଚ ରାଧାନାଥ ବିଶ୍ଵାଳ ମଧ୍ୟ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ । କାର୍ଯ୍ୟାନୁଷ୍ଠାନ ସ୍ବରୂପ ନାମକୁ ମାତ୍ର ବିଭାଗୀୟ ଯନ୍ତ୍ରୀଙ୍କୁ ବଦଳି କରାଯାଇଥିବା ବେଳେ ପଂଚାୟତର ଜିଆର୍ଏସ୍ଙ୍କୁ ସସ୍ପେଣ୍ଡ କରାଯାଇଥିଲା । ଭିଜିଲାନ୍ସ ବିଭାଗ ମଧ୍ୟ କୌଣସି ଅଦୃଶ୍ୟ ଶକ୍ତିର ଚାପରେ ନୀରବି ଯାଇଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ପୁଣିଥରେ ଏହି ପଂଚାୟତର ବାରଡୋଲ ଗ୍ରାମରେ ଏକ କଂକ୍ରିଟ କାମକୁ ନେଇ ଲୋକଙ୍କ ମଧ୍ୟରେ ହୋହଲ୍ଲା ଦେଖିବାକୁ ମିଳିଥିଲା । ସୂଚନାରୁ ଜଣାପଡିଛି ଯେ, ବାରଡୋଲ ଗ୍ରାମଟି ଆଦର୍ଶ ଗ୍ରାମ ଭାବେ ସରକାରୀ ସ୍ତରରେ ସ୍ୱୀକୃତି ପାଇଛି । ଗ୍ରାମର ଉନ୍ନତି ପାଇଁ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଆସିବାର ଥିବା ବେଳେ ବର୍ତମାନ ଗାଁ ମଝିରେ ଏକ କଂକ୍ରିଟ ରାସ୍ତା ତିଆରି ହେଉଛି । ତେବେ ରାସ୍ତାଟି କେଉଁ ଅନୁଦାନରୁ କେତେ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଛି, ତାହା କାହାକୁ ଜଣାନାହିଁ । ଏପରିକି ବିନା ସୂଚନା ଫଳକରେ ପୁଣି ସହକାରୀ ଯନ୍ତ୍ରୀ ଅଥବା କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାମଟି ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେମାନଙ୍କ କହିବା ମୁତାବକ, ଗତ ପଂଚାୟତ ନିର୍ବାଚନ ପୂର୍ବରୁ ପ୍ରାୟ ଦଶ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବାରଡୋଲ ଗ୍ରାମରେ ଏକ କମ୍ୟୁନିଟି ସେଣ୍ଟର ତିଆରି ପାଇଁ ଅନୁଦାନ ଆସିଥିଲା । ଏଥିପାଇଁ ତତ୍କାଳୀନ କନିଷ୍ଠଯନ୍ତ୍ରୀ ରଜନୀକାନ୍ତ ବେହେରାଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟର ଶୁଭ ଦିଆଯାଇ ନିହ ଖୋଲାଯିବା ସହିତ ଲେଆଉଟ ଓ ମେଟେରିଆଲ ମଧ୍ୟ ପଡିଥିଲା । ତେବେ ଦୀର୍ଘ ଦେଢ଼ବର୍ଷ ଧରି ଉକ୍ତ କମ୍ୟୁନିଟି ସେଣ୍ଟରର କାମ ଦେଖା ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଉକ୍ତ ଅନୁଦାନ ରାଶି କୁଆଡେ ଗଲା, ସେନେଇ ଗ୍ରାମବାସୀ ଦ୍ୱନ୍ଦ୍ୱରେ ରହିଛନ୍ତି । ଏଥିସହିତ ଆଦର୍ଶ ଗ୍ରାମ ଘୋଷିତ ଏହି ଗାଁରେ ସ୍ଥାନୀୟ ଲୋକଙ୍କ ଅଜାଣତରେ କଂକ୍ରିଟ ରାସ୍ତାକାମ ହେଉଥିବାରୁ ଲୋକେ ଏ ବିଷୟକୁ ନେଇ ଲୋଇସିଂହା ବିଡ଼ିଓ ଏବଂ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର ଓ ଲୋକଙ୍କ ମଧ୍ୟରେ ଆଲୋଚନା ହେବା ପରେ ଉକ୍ତ କାର୍ଯ୍ୟଟି ବର୍ତ୍ତମାନ ବନ୍ଦ କରାଯାଇଛି । ଜିଲ୍ଲା ପ୍ରଶାସନ ଏହାର ବିଧିବଦ୍ଧ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଦାବୀ ହେଉଛି ।
Next Post