ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷା କ୍ଷେତ୍ରରେ ଫଳପ୍ରଦ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲା ଶିକ୍ଷା ବିଭାଗ ଜରିଆରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗକୁ ଅନ୍ଲାଇନ୍ ଦ୍ୱାରା ବ୍ଲକ୍ର ସବୁ ବର୍ଗର ପ୍ରାଥମିକ ବିଦ୍ୟାଳୟରୁ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଆନୁସଙ୍ଗିକ ସଠିକ୍ ତଥ୍ୟ ପ୍ରଦାନ ସମ୍ବନ୍ଧୀୟ ଏକ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଯଥା ରୀତି ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାଥମିକ ସ୍ତରରୁ ଉଚ୍ଚ ମାଧ୍ୟମିକସ୍ତର ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟର ମୋଟ ୧୮୦ ଜଣ ଦାୟିତ୍ୱାଧୀନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ଡେଲାଙ୍ଗ ବିଇଓ ବିନୋଦ ପ୍ରାମାଣିକ, ଏବିଇଓ ଲକ୍ଷ୍ମଣ ପ୍ରଧାନ ଶିବିରକୁ ଉଦ୍ଘାଟନ୍ କରି ଉପଯୁକ୍ତ ପ୍ରଶିକ୍ଷଣ ଗ୍ରହଣ ପୂର୍ବକ ଅନ୍ଲାଇନ୍ ମାଧ୍ୟମରେ ନିର୍ଦ୍ଧାରିତ ସମୟ ଅବଧିରେ ବିଦ୍ୟାଳୟର ସଂପୂର୍ଣ୍ଣ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ସମସ୍ତଙ୍କୁ ବୁଝାଇ ସୁପରାମର୍ଶ ଦେଇଥିଲେ । ଏଥିରେ ପ୍ରଶିକ୍ଷକା ଭାବେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ତଥ୍ୟ ବ୍ୟବସ୍ଥା ପରିଚାଳନା ଓ ଯୋଜନା ପ୍ରସ୍ତୁତି ସଂଯୋଜିକା ଶ୍ରୀମତୀ ପ୍ରତିମା ଭୋଳ ଯୋଗଦେଇ ୨୦୨୨-୨୩ ଶିକ୍ଷା ବର୍ଷରେ ସମାପ୍ତି ସୂଚକ ଆକଳନ -୨ର ଛାତ୍ରଛାତ୍ରୀଙ୍କ ଉତ୍ତୀର୍ଣ୍ଣ ମାର୍କର ଶତକଡା ହାର, ବର୍ଷକର ଉପସ୍ଥାନ ଓ ୨୦୨୩-୨୪ଶିକ୍ଷାବର୍ଷର ବିଦ୍ୟାଳୟରେ ଅଧ୍ୟାପନା ରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯୋଗ୍ୟତା ସହ ଅନ୍ୟାନ୍ୟ ବିବରଣୀ, ଛାତ୍ରଛାତ୍ରୀମାନଙ୍କ ଉଚ୍ଚତା, ଓଜନ, ରକ୍ତ ବର୍ଗ ସହ ପୂର୍ଣ୍ଣ ବିବରଣୀ, ବିଦ୍ୟାଳୟରେ ଉପଲବ୍ଧ ସୁବିଧା ଓ ଉପଲବ୍ଧି ହେଉ ନଥିବା ତଥ୍ୟ ପ୍ରଦାନ ସମ୍ପର୍କରେ ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ ଅବଗତ କରାଇ ତଥ୍ୟ ପ୍ରଦାନ ସମୟେ କୌଣସି ପ୍ରକାର ଜଟିଳତାର ସମୁଖୀନ ହେଲେ ତାଙ୍କ ସହ ଯୋଗାଯୋଗ ରଖିବାକୁ ନିବେଦନ କରିଥିଲେ । ଶିବିରରେ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ବୈଦେହୀ ପାଣି, ସ୍ୱପ୍ନା ପାଟ୍ଟଯୋଶୀ, ତିଳୋତ୍ତମା ସୁନ୍ଦରାୟ ଯୋଗଦେଇ ବିଦ୍ୟାଳୟରେ ଅଧ୍ୟୟନରତ ବିଭିନ୍ନ ବର୍ଗର ଭିନ୍ନକ୍ଷମ ପିଲାମାନଙ୍କ ବିବରଣୀ ପ୍ରଦାନ ସମ୍ପର୍କରେ ଯଥା ଯୁକ୍ତ ତଥ୍ୟ ଉପସ୍ଥାପିତ କରିଥିଲେ । ଡାଟା ପ୍ରବେଶ କାର୍ଯ୍ୟକର୍ତ୍ତା ସତ୍ୟଜିତ୍ ମହାପାତ୍ର ଚିତ୍ର ପ୍ରଦର୍ଶନରେ ସହଯୋଗ କରିଥିଲେ । ୩୦ ତାରିଖ ସୁଦ୍ଧା ଅନ୍ଲାଇନ୍ ମାଧ୍ୟମରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଙ୍କ ତରଫରୁ ଜଣାଇ ଦିଆଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ଵାଳ, ରମେଶ ଦାଶ, ପ୍ରଶାନ୍ତ ମହାରଣା, ହୃଷିକେଶ ବଳିୟାର ସିଂହ, ବାଳାନିଧି ସାହୁ, ଗୋପାଳ ମହାପାତ୍ର, ଗୋପାଳ ବେହେରା, ପ୍ରଭାକର ସେଠୀ, ରମାକାନ୍ତ ବେହେରା, କଳିଙ୍ଗ କେଶରୀ ମହାପାତ୍ର, ମଙ୍ଗୁଳି ପରିଡ଼ା, ଅଭିମନ୍ୟୁ ସିଂ, ହାଡିରାମ ସିଂ, ସୁନିଲ୍ ପ୍ରଧାନ, ସୁରେନ୍ଦ୍ର ସାହୁ, ସନ୍ତୋଷ ରଥ, ଜଗନ୍ନାଥ ମିଶ୍ର, ନିବେଦିତା ମିଶ୍ର, ଅନ୍ନପୂର୍ଣ୍ଣା ହରିଚନ୍ଦନ, ବାସନ୍ତୀ ସାହୁଙ୍କ ସହ ଅନ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରି ତଥ୍ୟ ପ୍ରଦାନ ପାଇଁ ଆଉ ଟିକିଏ ଅଧିକ ସମୟ ଦରକାର ବୋଲି ଶିବିରରେ କହିଥିଲେ ।