ତେରେସିଂହାରେ ମା’ ପାଟଖଣ୍ଡା ଯାତ୍ରା ସମ୍ପନ୍ନ

କଳାହାଣ୍ଡି, (ନରୋତ୍ତମ ସେଲମା ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଐତିହାସିକ ଗ୍ରାମ ତେରେସିଂହା ଠାରେ ମା’ ପାଟଖଣ୍ଡା ଯାତ୍ରା ସମ୍ପନ୍ନ ହୋଇଯାଇଛି । ଏହି ଯାତ୍ରାରେ ମା’ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଭକ୍ତଙ୍କର ସମାଗମ ହୋଇଥିଲା । ଭକ୍ତମାନଙ୍କର ମାନସିକ ପୂରଣ ହୋଇଥିବାରୁ ଏଠାରେ ବୋଦା, କୁକୁଡ଼ା ବଳି ପଡ଼ିଥାନ୍ତି । ଏହି ଯାତ୍ରା ତେରେସିଂହା ସ୍କୁଲ ପଡ଼ିଆର ଗୋଟିଏ ପାର୍ଶ୍ୱରେ ତେରେସିଂହା ଓ ଅପର ପାର୍ଶ୍ଵରେ ବେଲପଡ଼ାର ଯାତ୍ରା ହୋଇଥାଏ । ତେରେସିଂହା ଯାତ୍ରା ଖଳା ପଡ଼ିଆ ଓ ବେଲପଡ଼ା ଯାତ୍ରା ଖଳାରେ ଶହ ଶହ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ଏହି ଯାତ୍ରା କୈବର୍ତ୍ତ ସମ୍ପ୍ରଦାୟର ହୋଇଥିଲେ ହେଁ ଏଥିରେ ବିଭିନ୍ନ ଜାତିର ଲୋକ ବାର ଦେହେଲିଆ ଭାବେ ରହିଥାନ୍ତି । ଯାତ୍ରାର ଆଠଦିନ ପୂର୍ବରୁ ଗୁଡ଼ି ପ୍ରବେଶ ହୋଇ ପ୍ରତିଦିନ ସନ୍ଧ୍ୟାରେ ମା’ଙ୍କର ପୂଜା ହୋଇଥାଏ । ଯାତ୍ରାର ଏକ ଲୋକ ବିଶ୍ୱାସ ଆଜି ବି ରହିଆସିଛି ଯେ, ଯାତ୍ରାର ପୂର୍ବ ରାତ୍ରୀ ପୂଜା ସ୍ଥାନରେ ଗୋରସ ରଖି ଦିଆଯାଇ ଥାଏ ଓ ସେହି ଗୋରସକୁ ରାତ୍ରୀରେ ବାଘ ଆସି ପିଇ ଯାଉଥିବା କୁହାଯାଏ । ତେରେସିଂହା ଯାତ୍ରାର ମୁଖ୍ୟ ପୂଜକ ଦମ୍ବୋଦର ନାଏକ, ବରୁଆ ବିବେକାନନ୍ଦ ନାଏକ ଓ ମିନକେତନ ନାଏକ, ଛତ୍ରିଆ ଗୋପାଳ ନାଏକ, ଯାତ୍ରା କମିଟି ସଭାପତି ରୁଦ୍ର ଭୋଇ, ସମ୍ପାଦକ ସୁବିନ୍ଦ୍ର ରଣା, ଲତାବନ ରଣା, ସନାତନ ନାଏକ, ନିର୍ମଳ ରଣା, ଗୋପାଳ ବାଗ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ସେହିପରି ବେଲପଡ଼ା ଯାତ୍ରା କମିଟି ପକ୍ଷରୁ ମଧ୍ୟ ଶାନ୍ତିଶୃଙ୍ଖଳା ସହ ପାଟଖଣ୍ଡା ଯାତ୍ରା ସମ୍ପର୍ନ୍ନ ହୋଇଯାଇଛି ।

Leave A Reply

Your email address will not be published.