ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଯୋଗ ଦେଇଥିବା କଳାହାଣ୍ଡିର ଛାତ୍ର ସୌମ୍ୟ ରଞ୍ଜନ ସିଂହ ଓ ଛାତ୍ରୀ ଖୁସ୍‌ବୁ ସାହୁଙ୍କୁ ସମ୍ବର୍ଦ୍ଧନା

କଳାହାଣ୍ଡି, (ପିକେ ସାହୁ) : ଜାତୀୟ ସ୍ତରରେ ପୁରସ୍କୃତ ହେଲେ କଳାହାଣ୍ଡି ପୁଅ । କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ହୋଇ ତିନିଦିନ ଧରି ଚାଲିଥିବା ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋକୁଳେଶ୍ଵର୍‌ର ଛାତ୍ର ର୍ସୌମ୍ୟ ରଞ୍ଜନ ସିଂହ କୃତିତ୍ୱ ହାସଲ କରି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଡ. ଜିତେନ୍ଦ୍ର ସିଂହ, ମାନ୍ୟବର ରାଜ୍ୟ ମନ୍ତ୍ରୀ(ସ୍ଵାଧୀନ), ବିଜ୍ଞାନ ଓ କାରିଗରୀ ମନ୍ତ୍ରାଳୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ପ୍ରକାଶ ଥାଉ କି ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ମନୋନୀତ ହୋଇ ଓଡ଼ିଶାରୁ ୨୭ଜଣ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ଅଂଶଗ୍ରହଣ କରିଥିଲେ । ୨୭ଟି ପ୍ରକଳ୍ପ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଦୁଇଟି ପ୍ରକଳ୍ପ ଯଥା ଗୋକୁଳେଶ୍ଵର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜଗଦିଶ ପଧାନଙ୍କ ମାର୍ଗଦର୍ଶନରେ ଛାତ୍ର ସୌମ୍ୟ ରଞ୍ଜନ ସିଂହଙ୍କ ଦ୍ଵାରା ପ୍ରସ୍ତୁତ “ନିରାପଦ ସିଲେଇ” ପ୍ରକଳ୍ପ ଓ ରାଜୀବ ଜୀ ଉଚ୍ଚ ବିଦ୍ୟାଳୟ ଗାଇଗାଁର ବିଜ୍ଞାନ ଶିକ୍ଷୟତ୍ରୀ ଖିରୋଦ୍ରି ସାହାଙ୍କ ମାର୍ଗଦର୍ଶନରେ ଛାତ୍ରୀ ଖୁସ୍‌ବୁ ସାହୁଙ୍କ ଦ୍ଵାରା ପ୍ରସ୍ତୁତ “ମଲ୍ଟି ପର୍ପସ ହ୍ୱିଳ୍ ଚେଆର” ପ୍ରକଳ୍ପ ଜାତୀୟ ସ୍ତରରେ ପ୍ରଦର୍ଶିତ ହୋଇଥିଲା । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରଦର୍ଶିତ ସମୁଦାୟ ୭୪୧ ଟି ପ୍ରକଳ୍ପ ମଧ୍ୟରୁ ସବୁଠାରୁ ଉତ୍କୃଷ୍ଟ ୬୦ଟି ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା । ତନ୍ମଧ୍ୟରୁ ଓଡ଼ିଶାର ୫ଟି ପ୍ରକଳ୍ପ ଶ୍ରେଷ୍ଠ ତାଲିକାରେ ରହିଥିଲା ବେଳେ କଳାହାଣ୍ଡିର ସୌମ୍ୟ ରଞ୍ଜନ ସିଂହଙ୍କ “ନିରାପଦ ସିଲେଇ” ପ୍ରକଳ୍ପଟି ଉଚ୍ଚ ପ୍ରଶଂସିତ ହୋଇ ପୁରସ୍କୃତ ହେବା ସଙ୍ଗେ ସଙ୍ଗେ ଜାପାନରେ ଆୟୋଜନ ହେବାକୁ ଥିବା ସାକୁରା ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବ ପାଇଁ ମନୋନୀତ ହୋଇଛି । ଏହି ବିରାଟ ସଫଳତା ପାଇଁ କେସିଙ୍ଗା ତଥା ସମଗ୍ର କଳାହାଣ୍ଡି ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଆଜି ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀଙ୍କ ସହ ଛାତ୍ର ସୌମ୍ୟ ରଞ୍ଜନ ସିଂହ ଓ ଛାତ୍ରୀ ଖୁସ୍‌ବୁ ସାହୁ ଭବାନୀପାଟଣା ରେଳ ଷ୍ଟେସନଠାରେ ପହଞ୍ଚିବା କ୍ଷଣି ତାଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଟେମ୍ ଲାଲ୍ ଦୁବେ ରେଳ ଷ୍ଟେସନ ଠାରେ ଉପସ୍ଥିତ ରହି କଳାହାଣ୍ଡି ଟିମକୁ ସ୍ୱାଗତ କରିଥିଲେ । ଏହି ଟିମରେ ମାର୍ଗଦର୍ଶକ ବିଜ୍ଞାନ ଶିକ୍ଷକ ଜଗଦିଶ ପଧାନ, ଜ୍ଞାନରଞ୍ଜନ ପାତ୍ର, ଜୟଦେବ ସାହୁ ଏବଂ ଯଶୋବନ୍ତ ସିଂହ ପ୍ରମୁଖ ସାମିଲ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପ୍ରକାଶ ନିଶଙ୍କ, ମୋ ସ୍କୁଲ ସଂଯୋଜକ ପ୍ରଶାନ୍ତ ନନ୍ଦ, ଉଚ୍ଚ ମାଧ୍ୟମିକ ବିଦ୍ୟାଲୟ ସଂଯୋଜକ ବୀରେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସ୍ଵାଗତ କରିଥିଲେ ।

Leave A Reply

Your email address will not be published.