
ରାଉରକେଲା,(ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ନେତୃତ୍ୱରେ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ସହରର ବୁଦ୍ଧିଜୀବୀ, ସାହିତ୍ୟ ଅନୁଷ୍ଠାନ ତଥା ସାଂସ୍କୃତିକ ପ୍ରତିଷ୍ଠାନର ସଦସ୍ୟ ମାନଙ୍କ ଗହଣରେ ଆମ୍ବାଗାନସ୍ଥ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଏହି ଦିବ୍ୟାତ୍ମାଙ୍କ ୧୪୬ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଅଛି । ଡ଼ଃ ସୁମନ ଦତ୍ତ ମୁଖ୍ୟ ଅତିଥି ରୂପେ ସ୍ମୃତିଚାରଣ ସଭାରେ ଯୋଗଦାନ କରି ସ୍ୱତନ୍ତ୍ର ଉତ୍କଳ ଗଠନରେ ଗୋପବନ୍ଧୁଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରି ଗୋପବନ୍ଧୁଙ୍କର ଅଧୁରା ସ୍ୱପ୍ନ ଏବେ ମଧ୍ୟ ପୁରା ହୋଇପାରିନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ଗୋପବନ୍ଧୁଙ୍କ ୧୯୧୯ ଅକ୍ଟୋବର ମାସରେ ଏକ ସାପ୍ତାହିକ ପତ୍ରିକାର ରୂପେ ପ୍ରକାଶ ପାଇଥିବା ” ସମାଜ” କିପରି ଏକକ୍ରାନ୍ତି ଏବଂ ଚେତନାର ଧାରା ରୂପେ ଉତ୍କଳର ତଥା ଓଡିଶା ଜାତିର ମୁଖପାତ୍ର ହୋଇଥିଲା । ବିଭିନ୍ନ ଉଦାହରଣ ମାଧ୍ୟମରେ ବର୍ଣ୍ଣନା କରିଥିଲେ । ସଭାପତି ଶ୍ରୀ ପତି ଆଲୋଚନାର ନିର୍ଯ୍ୟାସକୁ ଉପସ୍ଥାପନ କରି ଗୋପବନ୍ଧୁଙ୍କର ସାମଗ୍ରିକ ସୃଷ୍ଟି ଉପରେ ତାଙ୍କର ସଂକ୍ଷିପ୍ତ ଅଭିଭାଷଣରେ ଆଲୋଚନା ରଖି ସ୍ୱାଧୀନତାର ୭୬ବର୍ଷ ପରେ ବି ମଧ୍ୟ ଗୋପବନ୍ଧୁଙ୍କର ସ୍ୱପ୍ନର ଓଡିଶା ଗଠିତ ହୋଇପାରିନାହିଁ ଏବଂ ବିଛିନ୍ନ ଓଡିଆ ଅଞ୍ଚଳ ମାନଙ୍କରେ ଓଡିଆ ଭାଷାକୁ ନିଶ୍ଚିହ୍ନ କରିଦେବା ପାଇଁ କିପରି ଉଦ୍ୟମ ହେଉଛି , ତତ୍ ସମ୍ପର୍କରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। କବି କୁଞ୍ଜବିହାରୀ ରାଉତ, ନାଟ୍ୟକାର ପ୍ରଫୁଲ୍ଲ ସାମଲ,ସଂଗୀତଜ୍ଞ ଶରତଚନ୍ଦ୍ର ପଣ୍ଡା ସମେତ ବହୁ ସାହିତ୍ୟିକ ଉପସ୍ଥିତ ଥିଲେ । ସର୍ବଶେଷରେ କବି ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବକାଶରେ ବହୁ ବିଶିଷ୍ଟ ବ୍ୟକ୍ତିତ୍ଵ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।