- ଟିଟିଲାଗଡ଼ ଆସନର ଆଶାୟୀ ପ୍ରାର୍ଥୀଙ୍କୁ ସାଂସଦଙ୍କ ବାର୍ତ୍ତା
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ଟିଟିଲାଗଡ ଗସ୍ତରେ ଆସିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରିବା ପାଇଁ ସହର ସାରା ବିଜେପି ନେତାମାନଙ୍କ ଦ୍ଵାରା ଲଗା ଯାଇଥିବା ସ୍ବାଗତମ୍ ଗେଟ୍, ବ୍ୟାନର, ପୋଷ୍ଟର ସବୁଆଡେ ଛାଇ ଯାଇଥିଲା ।
ସିଟିସ୍କୁଲଠାରେ ପ୍ରଥମେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ, ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କୁ ଟିଟିଲାଗଡ଼ର ପୌରାଧ୍ଧକ୍ଷା ଶ୍ରୀମତୀ ମମତା ଦେବୀଜୈନ, ବିଜେପି ନେତା ନବୀନ ଜୈନ୍, ଯୁବନେତା ନରସିଂହ ସିଂ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ମହେନ୍ଦ୍ର ଠାକୁର ସ୍ୱାଗତ ଜଣାଇବା ସହ ଏକ ବିରାଟ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ସଭା ସ୍ଥଳ ଗୋବିନ୍ଦ ବାଟିକାଠାରେ ପହଞ୍ଚିଥିଲା । ବିଜେପି ନେତା ଶୁଭ୍ରାଂଶୁ ଦାସ ଏବଂ ତାଙ୍କର ସମର୍ଥକମାନେ ବାଜା ବଜାଇ ଏକ ନିଆରା ଢଙ୍ଗରେ ଗୋବିନ୍ଦ ବାଟିକା ଭିତରକୁ ପ୍ରବେଶ କରିବା ସହ ବିଜେପି ରାଜ୍ୟ ସଭାପତିଙ୍କ ସହ ସମସ୍ତ ଅତିଥିଙ୍କୁ ଫୁଲତୋଡ଼ା ଦେଇ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ । ମଞ୍ଚରେ ମଞ୍ଚାସୀନ ହେବା ପରେ ଭାରତମାତା, ଦିନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରିବା ସହ ମାଲ୍ୟାର୍ପଣ କରିବା ପରେ ସଭାକାର୍ଯ୍ୟ ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ ଆରମ୍ଭ କରିଥିଲେ । ଜଣେ ଜଣେ କରି ସମସ୍ତ ଅତିଥି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟ ସଭାପତିଙ୍କ ଗସ୍ତ ଅବସରରେ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ ଟିଟିଲାଗଡ ବିଧାନସଭା ଆସନ ପାଇଁ ଆଶାୟୀ ଥିବା ସମସ୍ତ ପ୍ରାର୍ଥୀଙ୍କୁ ଗୋଟିଏ ସନ୍ଦେସ ଦେଇ କହିଲେ ଯେ, ଯିଏ ଦଳ ଅନୁଗତ ଥିବ, ପାର୍ଟି ପାଇଁ ଶୃଙ୍ଖଳା ସହିତ ଆଚରଣ ବ୍ୟବହାର ପ୍ରଦର୍ଶନ କରି ପାର୍ଟି ପାଇଁ ପରିଶ୍ରମ କରିଥିବା ସହ ଯୋଗ୍ୟତା ଭିତ୍ତିରେ ପ୍ରାର୍ଥୀ ଚୟନ କରାଯିବ, ମୋର ପସନ୍ଦ ନା ପସନ୍ଦ କି ମୋର କାହାର ପ୍ରତି ସେମିତି ପକ୍ଷପାତିତା ନାହିଁ ବୋଲି ସିଧା ସିଧା କହିଦେଲେ । ମୁଖ୍ୟ ଅତିଥି ମନମୋହନ ସାମଲ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ଆଜି ସାରା ବିଶ୍ୱରେ ଭାରତ ବିଶ୍ଵ ଗୁରୁ ହେବାକୁ ଯାଉଛି । ଓଡ଼ିଶାକୁ ସଦାବେଳେ ସହଯୋଗର ହାତ ବଢ଼ାଇବା ସଙ୍ଗେ ଗରିବ ଲୋକଙ୍କ ନିମନ୍ତେ ସବୁ ପ୍ରକାର ଯୋଜନା କରୁଛନ୍ତି ତେଣୁ ଆଗାମୀ ନିର୍ବାଚନରେ ବିଜେପିର ଡବଲ ଇଞ୍ଜିନ ସରକାର ପାଇଁ ବିଜେପିକୁ ସମର୍ଥନ କରି ବିଜୟୀ କରନ୍ତୁ ବୋଲି ଆହ୍ଵାନ ଦେଇଥିଲେ ।