jayashree

ଆରମ୍ଭ ହେଲା ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଷୋହଳ ପୂଜା

ବୌଦ୍ଧ : ବୌଦ୍ଧର ଇଷ୍ଟଦେବୀ ମା’ ଭୈରବୀଙ୍କ ପୀଠରେ ଆଜି ମଧ୍ୟରାତ୍ର ଠାରୁ ଆରମ୍ଭ ହେଲା ଷୋହଳପୂଜା । ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ପୂଜା ୧୬ଦିନ ଧରି ଚାଲିବ । ବିଳମ୍ବିତ ରାତ୍ରିରେ ମା’ ଭୈରବୀଙ୍କ ଗୁପ୍ତପୂଜା ଅନୁଷ୍ଠିତ ହୋଇଥାଏ । ବୌଦ୍ଧ ଜିଲ୍ଲାର ପୁରୁଣାକଟକସ୍ଥିତ ମା’ ଭୈରବୀଙ୍କୁ ଆବାହମାନ କାଳରୁ ଏହି ପୂଜା କରାଯାଇ ଆସୁଛି । ପ୍ରତିବର୍ଷ ଆଶ୍ୱିନ ମାସରେ ମା’ଙ୍କ ଏହି ପୂଜା ସ୍ୱତନ୍ତ୍ର ରୀତିନୀତି ଅନୁସାରେ ହୋଇଥାଏ । ରାଜାରାଜୁଡା ଅମଳରୁ ଚାଲିଆସିଥିବା ଏହି ଷୋହଳ ପୂଜା ଆଶ୍ୱିନମାସ ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇ ଶୁକ୍ଳପକ୍ଷ ମହାଷ୍ଟମୀ ଦିନ ସମ୍ପନ୍ନ ହୋଇଥାଏ । ଆଜି ଆଶ୍ୱିନ ମୂଳାଷ୍ଟମୀରେ ଶ୍ରଦ୍ଧାଳୁମାନେ ମୁଖ୍ୟପୂଜକଙ୍କ ଘରୁ ମା’ଙ୍କ ପାଟଖଣ୍ଡା ଓ ବିଜୟ ପ୍ରତିମାକୁ ଶୋଭାଯାତ୍ରାରେ ଢୋଲ, ନିଶାନ, ଶଙ୍ଖ ବଜାଇ, ବାନା, ବଇରଖ, ଛତ୍ରଧରି ସନ୍ଧ୍ୟାରେ ପୁରୁଣାକଟକ ସହର ପରିକ୍ରମା କରି ମନ୍ଦିରକୁ ଆଣିଥିଲେ । ଆଜି ବିଳମ୍ବିତ ରାତ୍ରରେ ତାଳପତ୍ର ପୋଥି (ମାଦଳପାଞ୍ଜି ) ଅନୁସାରେ ମା’ଙ୍କ ଗୁପ୍ତପୂଜା ଅନୁଷ୍ଠିତ ହେବ। ଏହି ଗୁପ୍ତପୂଜା ଆରମ୍ଭ ହେଲା ମାତ୍ରେ ଢୋଲ, ନିଶାନ ବାଜି ଉଠିଥାଏ, ବାଜା ବାଜିବା ମାତ୍ରେ ଅଞ୍ଚଳର ପୁତ୍ରବତୀ ମହିଳାମାନେ ପୁଅଙ୍କ ମଙ୍ଗଳ ମନାସୀ ମା’ମାନେ ପୁଅଜିଉନ୍ତିଆ ପର୍ବ କରିଥାନ୍ତି । ଏହି ଷୋହଳପୂଜା ସମୟରେ ମା’ଙ୍କ ଦର୍ଶନ ଭକ୍ତମାନଙ୍କ ପାଇଁ ନିଷିଦ୍ଧ ଥାଏ । ଉକ୍ତ ୧୬ଦିନ ପର୍ୟ୍ୟନ୍ତ ଶ୍ରଦ୍ଧାଳୁ ଓ ଭକ୍ତମାନେ ମନବାଞ୍ଛା ପୂରଣ ପାଇଁ ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ସାହାଡ଼ା ଗଛତଳେ ପୂଜାର୍ଚ୍ଚନା କରିଥାନ୍ତି । ଷୋହଳପୂଜାର ଷୋହଳଦିନ ସ୍ୱତନ୍ତ୍ର ଭାବେ ଗୁପ୍ତପୂଜା ହୋଇଥାଏ ବୋଲି ମୁଖ୍ୟ ପୂଜକ ଅଶୋକ କୁମାର ଦେହୁରୀ ଓ ମୁଖ୍ୟ ପୁରୋହିତ ଶାନ୍ତନୁ ମିଶ୍ର କହିଛନ୍ତି । ଷୋହଳପୂଜା ସମୟରେ ପ୍ରତିଦିନ ରାତ୍ର ୯ଟାରୁ ପ୍ରାତଃକାଳ ୩ଟା ପଯ୍ୟନ୍ତ ନିଶା ରାତ୍ରରେ ଘଣ୍ଟ, ଶଙ୍ଖ, ଢୋଲ, ନିଶାନ ବଜାଇ ମା’ଙ୍କ ପୂଜା ହୋଇଥାଏ । ଦୀର୍ଘ ଷୋହଳ ଦିନ ଧରି ଦେବୀ ଦର୍ଶନ ନିଷେଧ ଥିବାରୁ ନବମୀଠାରୁ ଦେବୀଙ୍କ କୃପାଲାଭ କରିବା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥାଏ । ଆଜିର ଏହି ମା’ଙ୍କ ପାଟଖଣ୍ଡା ଏବଂ ବିଜୟ ପ୍ରତିମା ଯାତ୍ରାରେ ମନ୍ଦିର କମିଟିର ସଭାପତି ସୁରେନ ପ୍ରଧାନଙ୍କ ସମେତ ଷୋହଳଖଣ୍ଡ ମୌଜାର ସମସ୍ତ ସଭ୍ୟ ଏବଂ ଭକ୍ତ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.