csstore

ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ସାମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ଏବଂ ଶାନ୍ତି ଦୂତ ଲାଲ୍ ବାହାଦୂରଶାସ୍ତ୍ରୀଙ୍କ ୧୧୯ତମ ଜୟନ୍ତୀ ଦିବସ ଅବସରରେ ଏହି ଦୁଇ ଜାତୀୟ ବରପୁତ୍ରଙ୍କ ଗଞ୍ଜାମ ଜିଲ୍ଲାସ୍ତରୀୟ ଜୟନ୍ତୀ ସାମାରୋହ ଜିଲ୍ଲା ସଦରମହକୁମା ଛତ୍ରପୁରଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।

ଏହି ଜିଲ୍ଲାସ୍ତରୀୟ ସାମାରୋହ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ମିଳିତ ଆନୁକୂଲ୍ୟରେ ସମାହିତ ହୋଇଅଛି । ଜିଲ୍ଲା ମହକୁମା ଛତ୍ରପୁର ପୋଲିସ୍ ପ୍ୟାରେଡ ପଡିଆ ନିକଟସ୍ଥ ଗାନ୍ଧୀ ମଣ୍ଡପଠାରେ ଏହି ଜୟନ୍ତୀ ସାମାରୋହ ଆୟୋଜିତ ହୋଇଥିଲା । ପ୍ରାତଃ ୫ ଘ. ସମୟରେ ଡାକବାଜି ଯନ୍ତ୍ର ଦ୍ବାରା ଗାନ୍ଧିଜୀଙ୍କ ଅତିପ୍ରିୟ ଭଜନ ରଘୁପତି ରାଘବ ରାଜା ରାମ୍ ସଙ୍ଗୀତ ପ୍ରାତଃ ୫ ଘ.ସମୟରେ ଡାକବାଜି ଯନ୍ତ୍ର ଦ୍ବାରା ପରିବେଷଣ ସହ ସହର ପରିକ୍ରମା କରାଯାଇଥିଲା ।

ଏହି ଜିଲ୍ଲାସ୍ତରୀୟ ସାମାରୋହର ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆନୁଷ୍ଠାନିକ ସଭାରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ମୁଖ୍ୟବକ୍ତା ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ମାନ୍ୟଗଣ୍ୟ ଅତିଥି ଗଣ ଯୋଗଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଓ ଶାସ୍ତ୍ରିଜୀଙ୍କ ତୈଳପଟ୍ଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପ୍ରଥମେ ଆନୁଷ୍ଠାନିକ ପ୍ରଦୀପ ପ୍ରଜ୍ଜଳନ ପରେ ବିଶିଷ୍ଟ କଣ୍ଠଶିଳ୍ପୀ ଗଣେଶ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଛତ୍ରପୁର କଳା ବିକାଶ କେନ୍ଦ୍ରର କଳାକାରମାନଙ୍କ ଦ୍ବାରା ବୈଷ୍ଣବ ଜନତେ ସଙ୍ଗୀତ ପରିବେଷଣ କରାଯାଇଥିଲା । ସର୍ବଧର୍ମ ପ୍ରାର୍ଥନା ପଣ୍ଡିତ ହରି ମୋହନ ଶତପଥୀ ପବିତ୍ର ଶ୍ରୀମଦ୍ଭଗବତ ଗୀତା, ମହମ୍ମଦ ଏହେଶାନ୍ ରାଜ୍ ପବିତ୍ର କୋରାନ୍ ଓ ମ୍ରିଣାଲସେନ୍ ଗୁପ୍ତାଙ୍କ ଦ୍ବାରା ପବିତ୍ର ବାଇବେଲ ପାଠ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଅତିଥିମାନଙ୍କ ପରିଚୟ ଓ ଉତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଭାରତୀୟମାନେ ଗୋରା ସରକାରଙ୍କ ଦ୍ୱାରା ଅତ୍ୟାଚାରିତ, ନିଷ୍ପେଷିତ, ଅବହେଳିତ, ନିର୍ୟାତିତ ହୋଇ ଦୁଃଖ ଯନ୍ତ୍ରଣାରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିଲେ । ବ୍ରିଟୀଶ ଶାସନର ଅଧୀନରେ ରହି ଗୋଲାମୀ କରି ଜୀବନ ଅତିବାହିତ କରିବାକୁ ଭାରତୀୟମାନେ କୁଣ୍ଠାବୋଧ ପ୍ରକାଶ କରୁଥିଲେ । ସେହି ସମୟରେ ମହାମାନବ ମହାତ୍ମାଗାନ୍ଧୀ ଭାରତୀୟ ମୁକ୍ତି ଆନ୍ଦୋଳନର ଭଗୀରଥ ସାଜି ଦେଶକୁ ଇଂରେଜ କବଳରୁ ମୁକ୍ତ କରିବା ପାଇଁ ସତ୍ୟ, ଅହିଂସା ଓ ଅସହଯୋଗ ଆନ୍ଦୋଳନ କରି ଦେଶକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବା ଉଦ୍ୟମ କରି ସଫଳ ହୋଇଥିଲେ ।

ଅହିଂସା ଅସ୍ତ୍ରକୁ ପାଥେୟ କରି ଗାନ୍ଧିଜୀ ଦେଶକୁ ସ୍ବାଧୀନତା ଆଣିଥିଲେ ବୋଲି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ନିଜ ବକ୍ତବ୍ୟରେ କହିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ପ୍ରୟୋଗରେ ଆମ ଦେଶକୁ ସ୍ବାଧୀନତା ଆଣିବାରେ ବିଶ୍ବ ଦରବାରରେ ଦକ୍ଷତା ପ୍ରତିପାଦନ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ନିଜ ବକ୍ତବ୍ୟରେ ସତ୍ୟ, ଅହିଂସା ଓ ଧର୍ମନିରପେକ୍ଷତା ଥିଲା ଗାନ୍ଧିଜୀଙ୍କ ମୂଳମନ୍ତ୍ର । ଆନ୍ଦୋଳନ ଓ ହିଂସାକୁ ଛାଡି ଅହିଂସା ମାର୍ଗକୁ ଆପଣାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଗାନ୍ଧିଜୀ ବିଶ୍ବକୁ ମାନବିକତାର ଧର୍ମ ଉପରେ ଶିକ୍ଷା ଦେଇଥିଲେ ଏବଂ ତାଙ୍କରି ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କଲେ ଦେଶର ପ୍ରଗତି ସୁନିଶ୍ଚିତ ବୋଲି ଶ୍ରୀମତୀ ସ୍ବାଇଁ କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ତାଙ୍କ ଅଭିଭାଷଣରେ ଗାନ୍ଧିଜୀଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣୀତ ହେବା ପାଇଁ ଆହ୍ବାନ ଦେବା ସହ ଅହିଂସା ଏପରି ଏକ ଅସ୍ତ୍ର ତାହା ସମସ୍ତ ଅସ୍ତ୍ର ଠାରୁ ଶକ୍ତିଶାଳୀ । ଏହି ଶକ୍ତି ଦ୍ବାରା ଗାନ୍ଧିଜୀ ପରାଧୀନ ଭାରତକୁ ମୁକ୍ତ କରିଥିଲେ । ଗାନ୍ଧିଜୀଙ୍କର ଅହିଂସା ଆନ୍ଦୋଳନ ଏକ ଅମୋଘ ଅସ୍ତ୍ର ଥିଲା । ଜ୍ଞାନରେ ରତ ଭାରତ ଭଳି ଏକ ଭୂଖଣ୍ଡରେ ସତ୍ୟ ଓ ଅହିଂସା ନୀତି ଗାନ୍ଧିଜୀ ଆମକୁ ଶିକ୍ଷା ଦେଇଥିଲେ । ଏଣୁ ସୁନ୍ଦର ସମାଜ ଗଠନ ପାଇଁ ଅହିଂସା ମାର୍ଗକୁ ସମସ୍ତେ ଆପଣାଇବା ଉଚିତ୍ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଗାନ୍ଧୀଙ୍କ ଆଦର୍ଶ ଓ ଶାନ୍ତି ଦୂତ ଶାସ୍ତ୍ରିଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ଅବଗତ କରାଇଥିଲେ । ପରିଶେଷରେ କଳାବିକାଶ କେନ୍ଦ୍ରର କଳାକାରମାନଙ୍କ ଦ୍ୱାରା ଭଜନ ସମାରୋହ ସଙ୍ଗୀତ ବିଚିତ୍ରା ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଛତ୍ରପୁରର ବହୁ ବୁଦ୍ଧିଜୀବୀ, ଜନ ପ୍ରତିନିଧି, ସାମ୍ବାଦିକ, ସମାଜ ସେବୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଙ୍କର ବହୁମୂଲ୍ୟ ସମୟ ଦେଇ ଯୋଗ ଦେଇଥିବାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ଛତ୍ରପୁର କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.