୪୩ ବର୍ଷରେ ପଦାର୍ପଣ : ଭଙ୍ଗା ଗୃହରେ ବିପଦ ସଂଙ୍କୁଳ ଅବସ୍ଥାରେ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ : ପ୍ରଶାସନର ନିଘା ନାହିଁ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଭଙ୍ଗା ଶ୍ରେଣୀ ଗୃହରେ ବିପଦ ସଂକୁଳ ଅବସ୍ଥାରେ ଏବଂ ବାରଣ୍ଡାରେ ଭବିଷ୍ୟତ ଗଢା ଚାଲିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକରେ । ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତର ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ୪୩ ବର୍ଷରେ ପଦାର୍ପଣ କରିଥିବା ବେଳେ ଶ୍ରେଣୀ ଗୃହ ଭଗ୍ନ ଅବସ୍ଥାରେ ରହିଛି । ବିପଦପୂର୍ଣ୍ଣ ଭାବେ ଶ୍ରେଣୀ ଗୃହ ଥିବାରୁ ଗୋଟିଏ କୋଠରୀରେ ପ୍ରଥମରୁ ପଞ୍ଚମ ଯାଏଁ ପାଞ୍ଚଟି ଶ୍ରେଣୀକୁ ପଢ଼ାନ୍ତି ଦୁଇ ଶିକ୍ଷକ । ୧୯୮୦ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ସର୍ବମୋଟ ୨୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ସ୍ଥାନ ଅଭାବରୁ ଖରା ବର୍ଷା ଶୀତ ଦିନେ ବାରଣ୍ଡାରେ ବାଧ୍ୟ ହୋଇ ପାଠପଢା ଚାଲିଛି ବୋଲି ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା କହିଛନ୍ତି । ସରକାର ‘ସଭିଏଁ ପଢନ୍ତୁ ଓ ସଭିଏଁ ବଢନ୍ତୁ” ନାରା ଦେଇ ଶିକ୍ଷାକୁ ସାର୍ବଜନୀନ କରି ରାଜକୋଷରୁ କୋଟି କୋଟି ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ହେଉ ଅବା ବ୍ଲକ୍ ପ୍ରଶାସନର ଚରମ ଅବହେଳା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି । ଶିକ୍ଷକ ଅଭିଭାବକ କୋମଳମତି ଶିଶୁମାନେ ଭୟ ଓ ଆତଙ୍କରେ ରହିଛନ୍ତି । କିଛିଦିନ ତଳେ ସେହି ଗ୍ରାମ ପଞ୍ଚାୟତର କିଲୁପଡ଼ା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ୍ ଛାତ ଭୁଶୁଡ଼ି ଯିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ଛାତ୍ର ଛାତ୍ରୀ ତଥାପି ବ୍ଲକ୍ ପ୍ରଶାସନ ବିଭାଗୀୟ ଅଧିକାରୀଙ୍କ ଚେତା ପଶୁନି । କିଲୁପଡ଼ା ସ୍କୁଲ ଛାତ ଭୁଶୁଡ଼ିବା ଘଟଣା ପରେ ଭୟରେ ଅଭିଭାବକ ପିଲାଙ୍କୁ ସ୍କୁଲକୁ ଛାଡ଼ୁ ନାହାନ୍ତି । ମରାମତି ଅଭାବରୁ ସ୍କୁଲ୍ ଛାତ କେତେ ବେଳେ ଯେ ଭୁଷୁଡି ପଡ଼ିବ କହିହେବ ନାହିଁ । ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀ ବ୍ଲକ୍ ପ୍ରଶାସନକୁ ବହୁବାର ଲିଖିତ ଅଭିଯୋଗ କରିଥିଲେ ବି କାହାର ନିଘା ନାହିଁ ବୋଲି ସହକାରୀ ଶିକ୍ଷକ ସୁରେଶ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି । ସେହିଭଳି ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ଭଙ୍ଗା ଘରେ ଚାଲିଛି ବୋଲି ପାଚିକା ସିନନ୍ତୀ ମଲିକ କହିଛନ୍ତି । ନଳକୂପ ଅଚଳ ଅବସ୍ଥାରେ ରହିଛି ଫଳରେ କୂଅ ପାଣିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ, ପିଲାମାନେ ବାଧ୍ୟ ହୋଇ କୂଅ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରନ୍ତି ବୋଲି ଅଭିଭାବିକା ସୁଶିଳା ମଲିକ ପ୍ରକାଶ କରିଛନ୍ତି । ପ୍ରଶାସନ କ’ଣ ଆଉ ଏକ ଦୁର୍ଘଟଣାକୁ ଅପେକ୍ଷା କରିଛି କି’ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି । ତେବେ ପରିତ୍ୟକ୍ତ ସ୍କୁଲ୍ ଘରକୁ ଭାଙ୍ଗି ପ୍ରଶାସନ କେବେ ନୂତନ କୋଠା ନିର୍ମାଣ କରୁଛି ତାହା ଅଞ୍ଚଳବାସୀ ତଥା ଅଭିଭାବକ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.