ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ସରକାରୀ ସ୍ୱୟଂସାସିତ ମହାବିଦ୍ୟାଳୟକୁ ‘ମୋ- କଲେଜ’ ଅଭିଯାନର ରାଜ୍ୟ ସଂଯୋଜକ ଡ. ହୃଶିକେଷ ମହାନ୍ତି ଗୁରୁବାର ପରିଦର୍ଶନ କରିଛନ୍ତି । ଏହି ଅବସରରେ ୨୦୨୧ ମସିହାରୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ କଲେଜ ଅଭିଯାନ’ ଅନ୍ତର୍ଗତ ବିଭିନ୍ନ ମହାବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ସହଯୋଗ କରିଆସୁଛନ୍ତି । ତେଣୁ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ପୁରାତନ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ‘ମୋ କଲେଜ’ ଅଭିଯାନରେ ପଞ୍ଜିକୃତ କରିବା ପାଇଁ ଡ ମହାନ୍ତି ଆହ୍ୱାନ ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରା ଓ ‘ମୋ କଲେଜ’ ଅଭିଯାନର ସଂଯୋଜକ ସମୀର ସୌରଭ ପୃଷ୍ଟି ଉପସ୍ଥିତ ରହି ଗତ କିଛିଦିନ ମଧ୍ୟରେ ‘ମୋ-କଲେଜ’ ଅଭିଯାନ ଅନ୍ତର୍ଗତ ହୋଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ମୁତାବକ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ରାମକୃଷ୍ଣ ପଣ୍ଡାଙ୍କ ଦ୍ୱାରା ୧ଲକ୍ଷ ଟଙ୍କାର ସହାୟତା ସହିତ ପୂରାତନ ଛାତ୍ର ସଂସଦ ପକ୍ଷରୁ ପାଞ୍ଚହଜାର ଟଙ୍କାର ସହାୟତା ଦିଆଯାଇଥିଲା । ଏହି ସହାୟତାର ତିନିଗୁଣ ରାଶି ସରକାରଙ୍କ ପକ୍ଷରୁ ଅନୁଦାନ ମିଳିବା ପରେ ୩ଲକ୍ଷ ଟଙ୍କା ବ୍ୟୟରେ ମହାବିଦ୍ୟାଳୟର କେନ୍ଦ୍ରୀୟ ପାଠାଗାର ପାଇଁ ନୂତନ ପୁସ୍ତକ ସହିତ ମହାବିଦ୍ୟାଳୟର ଉଦ୍ୟାନ ରକ୍ଷଣାବେକ୍ଷଣ ପାଇଁ ୧୫ ହଜାର ଟଙ୍କା ବ୍ୟୟ ହୋଇଥିବା ସୂଚନା ଦିଆଯାଇଥିଲା । ଏ ସମ୍ପର୍କରେ ଡ ମହାନ୍ତି ଅବଗତ ହେବା ସହ ମୋ କଲେଜ ଅଭିଯାନ ସମ୍ପର୍କରେ ଉପାଦେୟ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷ ପ୍ରଫେସର ଶ୍ରୀ ବେହେରା ଓ ସଂଯୋଜକ ଶ୍ରୀ ପୃଷ୍ଟି ଏହି ଅବସରରେ ମୋ କଲେଜ ଅଭିଯାନରେ ମହାବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଏହାଫଳରେ ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ମହାବିଦ୍ୟାଳୟଭାବେ ପରିଚିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ପ୍ରଗତି ଓ ଉନ୍ନତି ଅଧିକରୁ ଅଧିକ ହୋଇପାରିବ ବୋଲି ଆଶା କରାଯାଇଛି । ଡ ମହାନ୍ତିଙ୍କ ଗସ୍ତ ଅବସରରେ ମହାବିଦ୍ୟାଳୟର ଗ୍ରନ୍ଥାଗାରର ଗ୍ରନ୍ଥାଗାରିକ ମମତା ଲାକ୍ରା, ପ୍ରତିଭା କର ଓ ପୂଜାର୍ଚ୍ଚନା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଗ୍ରନ୍ଥାଗାର ସମ୍ପର୍କରେ ସୂଚନା ଦେଇଥିଲେ ।
Prev Post