ଗର୍ଜିଲେ ନରସିଂହ: ଦମ୍ ଅଛି ତ ଏମଏସପି ତଳେ କିଣୁଥିବା ବ୍ୟକ୍ତିକୁ ସାତ ବର୍ଷ ଜେଲ ଘୋଷଣା କରୁ କେନ୍ଦ୍ର

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଠକୁଛନ୍ତି

ବଲାଙ୍ଗିର,(ଦେବାଶିଷ ମିଶ୍ର) – କେନ୍ଦ୍ର ସରକାର ନିଜକୁ ଚାଷୀର ଶୁଭାକାଂକ୍ଷୀ କହୁଥିବା ବେଳେ ବିରୋଧୀ ଚାଷୀଙ୍କୁ ଅଯଥା ଆନ୍ଦୋଳନ ପାଇଁ ପ୍ରବର୍ତ୍ତାଉଛନ୍ତି ବୋଲି କହୁଛି । ଯଦି କେନ୍ଦ୍ର ସରକାର ପ୍ରକୃତରେ ଚାଷୀଙ୍କ ସ୍ୱାର୍ଥ ପାଇଁ କାମ କରୁଛି । ତେବେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସର୍ବନିମ୍ନ ସମର୍ଥନ ମୁଲ୍ୟରୁ କମ୍ ରେ କିଣୁଥିବା ଲୋକଙ୍କୁ ଅତି କମ୍ ରେ ସାତ ବର୍ଷ କାରଦଣ୍ଡ ଘୋଷଣା କରୁ ବୋଲି ଆଜି ଏକ ସାମ୍ବାଦିକ ସମ୍ମେିଳନୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ସ୍ଥାନୀୟ ସାର୍କିଟ ହାଉସ ଠାରେ ଅୟୋଜିତ ଏହି ସମ୍ମିଳନୀରେ ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ର ମୋଦୀ ସରକାର ସଙ୍ଗେ ସଙ୍ଗେ ରାଜ୍ୟ ର ନବୀନ ସରକାର ମଧ୍ୟ ଚାଷୀକୁଳଙ୍କୁ ଠକୁଛନ୍ତି । ଚାଷୀଙ୍କୁ ଅମଳ ଖର୍ଚ୍ଚର ଦେଢ ଗୁଣ ସମର୍ଥନ ମୁଲ୍ୟ ଦିଆଯିବା ନେଇ ପ୍ରସ୍ତାବ ମୁଁ ନିଜେ ବିଧାନସଭାରେ ଆଣିଥିଲି । କିନ୍ତୁ ମୁଖ୍ୟମନ୍ତ୍ରୀ ଏଥିରେ ରାଜି ନହୋଇ ଅମଳ ଖର୍ଚ୍ଚ ଉପରେ କେବଳ ୨୫% ବଢାଇ କ୍ୱିଣ୍ଟାଲ ପଛା ୨୯୩୦ଟଙ୍କା ପାରିତ କରିଥିଲେ । ଯେଉଁଥିରେ କି ବିଜେପିର ସମସ୍ତ ସଦସ୍ୟ ଦସ୍ତଖତ କରିଥଲେ । ଏବଂ ଆଜି ମିଛରେ ଅମଳ ଖର୍ଚ୍ଚର ଦୁଇ ଗୁଣ ମୁଲ୍ୟ ଦାବୀ କରୁଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଧାନର ଅମଳ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୧୮୩୧ ଟଙ୍କା ଘୋଷଣା କରିଥିବା ବେଳେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୁଲ୍ୟ ୧୮୬୮ ଟଙ୍କା ରହିଛି । ଅର୍ଥାତ ଚାଷୀ କ୍ୱିଂଟାଲ ପିଛା କେବଳ ୩୭ ଟଙ୍କା ପାଉଛି । ଅତଏବ ଉଭୟ କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟର ନବୀନ ସରକାର ଚାଷୀଙ୍କୁ ଠକୁଛନ୍ତି ବୋଲି ବିଧାୟକ ଶ୍ରୀ ମିଶ୍ର ଖୋଲା ଖୋଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଆରୋପ କରିଛନ୍ତି ।

ସେହିପରି ସ୍ୱାମୀନାଥନ କମିଶନର ସୁପାରିଶ ଅନୁସାରେ ଚାଷୀଙ୍କୁ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ମୁଲ୍ୟ ଦେବା ପ୍ରତିଶୃତି ଦେଇ ଗାଦିକୁ ଆସିଥିବା କେନ୍ଦ୍ରର ମୋଦୀ ସରକାର ପରବର୍ତ୍ତି ସମୟରେ ଚାଷୀଙ୍କୁ ଏହି ମୁଲ୍ୟ ଦେବା ଅସମ୍ଭବ ବୋଲି ଅତି ନିର୍ଲଜତାର ସହ କହିଥିଲେ । ଆଜି ନିଜ ହକ୍ ର ମୁଲ୍ୟ ପାଇଁ ଲଢୁଥିବା ଚାଷୀଙ୍କୁ ଆତଙ୍କବାଦୀ ଆଖ୍ୟା ଦେଉଥିବା କେନ୍ଦ୍ର ସରକାର ନିଜ ପ୍ରତିଶୃତି କିପରି ରଖି ପାରିଲେ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ଖୋଲା ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ, କେନ୍ଦ୍ର ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ତାଲିକାରୁ ଧାନ,ଗହମ,ଆଳୁ, ପିଆଜ ଇତ୍ୟାଦିକୁ ପୁର୍ବରୁ ଅଳଗା କରି ଆଇନରେ ସଂଶୋଧନ ଆଣିଛନ୍ତି । ଯେପରି ତାଙ୍କର ପୁଞ୍ଜିପତି ମିତ୍ର କଳାବଜାରୀ କରି ଖୂବ ଧନ ରୋଜଗାର କରି ପାରିବେ । ଚାହୀଙ୍କ ସ୍ୱାର୍ଥପାଇଁ ଥିବା ସର୍ବନିମ୍ନ ସହାୟକ ମୁଲ୍ୟ ଆଇନକୁ ଦୁର୍ବଳ କରିବା ସହ କଣ୍ଟ୍ରାକ୍ଟ ଫାର୍ମିଂ ର ନିୟମ ଚାଷୀଙ୍କ ବର୍ତ୍ତମାନ ଓ ଭବିଷ୍ୟତ ଉଭୟକୁ ଆଡାନୀ, ଆମ୍ବାନୀ ଭଳିୟା ଫୁଞ୍ଜିପତିଙ୍କ ଆଗରେ ବିକ୍ରି କରିଦେବାର ସମସ୍ତ ବ୍ୟବସ୍ଥା କରିଛନ୍ତି । ପୁର୍ବରୁ ମହଜୁଦ ଥିବା ଫସଲ ବିକ୍ରି ର ସ୍ୱାଧୀନତାକୁ ବଖାଣି ଚାଷୀଙ୍କୁ ଫସଲ ବିକ୍ରିର ସ୍ୱାଧିନତା ଦେଉଛୁ କହି ଭୂଆଁ ବୁଲାଉଛନ୍ତି । କେନ୍ଦ୍ର ର ମୋଦୀ ସରକାରଙ୍କ ସହିତ ରାଜ୍ୟ ସରକାରଙ୍କ ଭିତରି ବୁଝାମଣା ଥିବା ବେଳେ ରାଜ୍ୟ ସରକାର ଜାଣିଶୁଣି ଚାଷୀଙ୍କ ପ୍ରତି ହେଉଥିବା ଏହି ଷଡଯନ୍ତ୍ର ଉପରେ ମୁହଁ ଖୋଲୁ ନାହାନ୍ତି ବୋଲି ଶ୍ରୀ ମିଶ୍ର ବିଷୋଦଗାର କରିଥିଲେ ।

ଆଜିର ଏହି ସମ୍ମିଳନୀରେ ଶ୍ରୀ ମିଶ୍ର ଙ୍କ ବ୍ୟତିତ ଜିଲ୍ଲା ମହିଳା ନେତ୍ରୀ ମିଲନୀ ସାହୁ, ବରିଷ୍ଟ ନେତା ଅଶୋକ ନନ୍ଦ ମଞ୍ଚାସୀନ ଥିବା ବେଳେ ରାଜ୍ୟ ସଂପାଦକ ଉମା ଶଙ୍କର ପଣ୍ଡା , ଅଜୟ ବାଲୀ , ଜିଲ୍ଲା ଉପସଭାପତି ଉମା ଶଙ୍କର ସାହୁ , ସନ୍ତକ ବହିଦାର, ନଗର ସଭାପତି ବୁଲୁ ଦାନୀ , ଜିଲ୍ଲା ମୁଖପାତ୍ର ସାନନ୍ଦ ମିଶ୍ର ଯୁବ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଛତ୍ର ସଭାପତି ଅଙ୍କିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!