ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସହରର ଆଲୋକ ନଗର ସମାଜ ଗୃହ ପଛପଟେ ରହୁଥିବା ୨୦ରୁ ୨୫ ପରିବାରବର୍ଗ । ସୂଚନାଯୋଗ୍ୟ ଯେ, ଜଣେ ଜବର୍‌ ଦଖଲ୍‌କାରୀ ସରକାରୀ ଜାଗା ଅକ୍ତିଆର କରି ନେଇଥିବା ଯୋଗୁଁ ସେମାନେ ସିଧାସଳଖ ମୁଖ୍ୟରାସ୍ତାକୁ ବାହାରିବାକୁ ଅସୁବିଧା ହେଉଥିବା ହେତୁ ଜବର୍‌ଦଖଲ୍‌ ଉଚ୍ଛେଦ କରାଯାଇ ରାସ୍ତା ସିଧା କରିବା ପାଇଁ ସେମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଗତବର୍ଷ ତା୧୯/୧୧/୨୦୧୯ରେ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ତହସିଲ୍‌ଦାର୍‌ ଓ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଅଭିଯୋଗ ଦେଇଥିଲେ ଜନସାଧାରଣ । ତତ୍‌କାଳୀନ ତହସିଲ୍‌ଦାରଙ୍କ ପକ୍ଷରୁ ଆର୍‌ଆଇଙ୍କୁ ସବିଶେଷ ରିପୋର୍ଟ ପ୍ରଦାନ ପାଇଁ କୁହାଯାଇଥିବା ବେଳେ ଆର୍‌ଆଇ ମଧ୍ୟ ନକ୍‌ସା ସହ ତାଙ୍କ ରିପୋର୍ଟ ଦାଖଲ୍‌ କରିଥିଲେ । ଏହାସହ ମ୍ୟୁନିସିପାଲିଟିକୁ ଏ ସଂପର୍କରେ ପୁଂଖାନୁପୁଂଖ ବିବରଣୀ ସହ ଚିଠି ନଂ.୧୧୧୭ ତା.୦୪.୦୩.୨୦୨୦ରେ ତହସିଲ୍‌ଦାର୍‌ ଜବର୍‌ଦଖଲ୍‌ ଉଚ୍ଛେଦ ପାଇଁ ଲେଖିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ମ୍ୟୁନିସିପାଲିଟି ତରଫରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଯୋଗୁଁ ସ୍ଥାନୀୟ ଜନସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ଜନସାଧାରଣ ଆଜି ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ତହସିଲ୍‌ଦାର୍‌ ଓ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ଆଗାମୀ ୭ ଦିନ ମଧ୍ୟରେ ଯଦି ଏହି ସମସ୍ୟାର ସମାଧାନ ନହୁଏ, ତେବେ ଆସନ୍ତା ୨୧ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ତଥାପି ଯଦି ପ୍ରଶାସନ ଏ ସମସ୍ୟାର ସମାଧାନ ନ କରନ୍ତି, ତେବେ ରାସ୍ତାରୋକ ସହ ଆମରଣ ଅନଶନ ବି କରିବାକୁ ପଶ୍ଚାତପଦ ହେବୁନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!