ଆସୁଛି ପାର୍ବଣ ଋତୁ, ମୂର୍ତ୍ତି ଗଢିବାରେ ବ୍ୟସ୍ତ କାରିଗର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୁଏ ପାର୍ବଣ ଋତୁ । ଗଣେଷ ପୂଜା ପାଇଁ ଚଳଚଞ୍ଚଳ ମୂର୍ତ୍ତି କାରିଗର ପରିବାର । କାରିଗରଙ୍କ ରଙ୍ଗ ତୂଳିରେ ଜୀବନ୍ତ ହୋଇଉଠିଛି ମାଟିର ମୂର୍ତ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର । ଆସନ୍ତା ୧୯ ତାରିଖରେ ଗଣେଷ ପୂଜା । ଗଣେଷ ପୂଜା ପରେ ଆସନ୍ତି ଜଗତ ଜନନୀ ମା’ ଦଶଭୁଜା । ଦୋଳ ପୂର୍ଣ୍ଣିମାଠାରୁ ମାଟି ଚକଟା ଆରମ୍ଭ ହୋଇ ମୂର୍ତ୍ତି ଗଢା ହୁଏ । ଖୁଦୁରୁକୁଣୀ, ବିଶ୍ୱକର୍ମା, ଗଣେଷଙ୍କ ଭଳିକି ଭଳି ମୂର୍ତ୍ତି ତିଆରି କରାଯାଏ । ଏବେ ଖୁଦୁରୁକୁଣୀ ଓ ଗଣେଷ ମୂର୍ତ୍ତି ତିଆରି କାମ ପ୍ରାୟ ସରି ସରି ଆସିଲାଣି । ଗଣେଷ ପୂଜା ପାଇଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ଭଳିକି ଭଳି ଆକର୍ଷଣୀୟ ମୂର୍ତ୍ତି ତିଆରି କରୁଛନ୍ତି କାରିଗର । ଯାହାକୁ ଜୀବନ୍ତ କରି ଗଢୁଛନ୍ତି ମୂର୍ତ୍ତି କାରିଗର ସନାତନ ସା । ପିଲାଟି ଦିନରୁ କାରିଗର ପ୍ରତି ତାଙ୍କର ଥିବା ଅହେତୁକ ଦୁର୍ବଳତା ଆଜି ଜଣେ ସଫଳ କାରିଗର ବନିଛନ୍ତି । ଏବେ ନିଜେ ମାସକୁ ହଜାର ହଜାର ଟଙ୍କା ରୋଜଗାର କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେବାର ସୁଯୋଗ ପାଇଛନ୍ତି । ସନାତନ ରାଜ୍ୟ ବାହାରରେ ହେଉଥିବା ବିଭିନ୍ନ ମୂର୍ତ୍ତିକୁ ଅନୁକରଣ କରି ଏଠାରେ ସେହିଭଳି ମୂର୍ତ୍ତି ତିଆରି କରନ୍ତି । ଯାହାକୁ ପସନ୍ଦ କରନ୍ତି ଗ୍ରାହକ । କେବଳ ମୃଣ୍ମୟୀ ମୂର୍ତ୍ତି ନୁହେଁ ବିଭିନ୍ନ ସାମଗ୍ରୀରେ ପ୍ରସ୍ତୁତି ମୂର୍ତ୍ତି ମଧ୍ୟ ନିର୍ମାଣ କରିଥାନ୍ତି । ମୂର୍ତ୍ତି ଗୁଡିକରେ କୁଂଚ ଡିଜାଇନ କରିବା ତାଙ୍କର ଅନ୍ୟତମ ସ୍ୱତନ୍ତ୍ର ଗୁଣ । ସେଥିପାଇଁ ଜିଲ୍ଲା ତଥା ଜିଲା ବାହାରର ବହୁ ଗ୍ରାହକ ଏଠାରେ ତାଙ୍କ ହାତ ତିଆରି ମୂର୍ତ୍ତି ନେବା ପାଇଁ ଭିଡ ଜମାଇଥାନ୍ତି । ଆଗକୁ ଆସୁଛି ଗଣେଷପୂଜା ସେଥିପାଇଁ ଅନେକ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଗକୁ ସମସ୍ତ ପୂଜା ପାଇଁ ମୂର୍ତ୍ତି ନିର୍ମାଣ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ସନାତନ ନିଜ ବାପାଙ୍କ ଠାରୁ ଏହି ମୂର୍ତ୍ତି ତିଆରି କଳା ଶିଖିଥିବା ବେଳେ ଆଗକୁ ଜଣେ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିଷ୍ଠିତ କାରିଗର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.