‘ସ୍ପିରିଟ୍‌ ଅଫ୍‌ ଗାନ୍ଧୀ’ କାଏରୋ ପ୍ରଦର୍ଶନୀରେ ଅଶ୍ୱିନୀ-ଅବନୀଙ୍କ କେରିକେଚର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି ଇଜିପ୍ଟର ରାଜଧାନୀ କାଏରୋଠାରେ ଇଣ୍ଡିଏନ୍‌ କଲ୍‌ଚରାଲ୍‌ ସେଂଟର (ଭାରତୀୟ ଦୂତାବାସ, କାଇରୋ) ଆନୁକୂଲ୍ୟରେ ଫେୟୋମ୍‌ ସ୍ଥିତ କେରିକେଚର୍‌ ମ୍ୟୁଜିୟମ ଏବଂ (ଫେକୋ) ଇଜିପ୍ଟ କାର୍ଟୁନ୍‌ ସହାୟତାରେ ମହାତ୍ମାଗାନ୍ଧୀ ସମ୍ପର୍କୀତ ଓ ‘ସ୍ପିରିଟ୍‌ ଅଫ୍‌ ଗାନ୍ଧୀ’ ଶୀର୍ଷକ ଏକ ଆନ୍ତର୍ଜାତିକ କେରିକେଚର୍‌ ପ୍ରଦର୍ଶନୀ ଆରମ୍ଭ ହୋଇଅଛି । ପ୍ରଦର୍ଶନୀରେ ଓଡିଶାର ବହୁ ପରିଚିତ କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ-ଅବନୀଙ୍କ ଦ୍ୱାରା ଅଙ୍କିତ ଗାନ୍ଧୀଜୀଙ୍କର ଏକ କେରିକେଚର ପ୍ରଦର୍ଶିତ ହେବାର ସୌଭାଗ୍ୟ ଅର୍ଜନ କରିଛି । ଏହି ଚିତ୍ରଟିରେ ଅତି ସରଳ ଭାବରେ ଅହିଂସାର ପ୍ରତୀକ କପୋତ ମାଧ୍ୟମରେ ମହାତ୍ମାଙ୍କ ପରିକଳ୍ପନା କରାଯାଇଛି । କାଏରୋଠାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଅଜିତ ଗୁପ୍ତେ ଓ ଫେୟୋମ୍‌ ଆର୍ଟ ସେଂଟର୍‌ର ପ୍ରତିଷ୍ଠାତା ତଥା ପ୍ରସିଦ୍ଧ ଚିତ୍ରକର ଡ. ମୋହାମେଦ ଅବ୍ଲାଙ୍କ ଦ୍ୱାରା ଯୁଗ୍ମ ଭାବରେ ଉଦ୍‌ଘାଟିତ ପ୍ରଦର୍ଶନୀଟିରେ ଇଜିପ୍ଟ ତଥା ବିଶ୍ୱର ବିଭିନ୍ନ ଦେଶର ୪୫ ଜଣ ବ୍ୟଙ୍ଗଚିତ୍ର ଶିଳ୍ପୀଙ୍କ କେରିକେଚର ସ୍ଥାନୀତ ହୋଇଅଛି । ଏଥିସହ କାଏରୋଠାରେ ଅବସ୍ଥାପିତ ସ୍ଲୋଭାକ୍‌ର ରାଷ୍ଟ୍ରଦୂତ ଶ୍ରୀମତୀ ଲେଙ୍କା ମିହାଲିକୋଭା ଓ ବୈଦେଶିକ ବିଭାଗ ଗୁଡିକର ଉପରିସ୍ଥ କର୍ମଚାରୀଗଣଙ୍କ ଉପସ୍ଥିତି କାର୍ଟୁନିଷ୍ଟ ଫଅଜି ମୋର୍ସିଙ୍କ ଆବାହକତ୍ୱରେ ଆୟୋଜିତ ଏହି ପ୍ରଦର୍ଶନୀଟିର ଉଦ୍‌ଘାଟନୀ ଉତ୍ସବକୁ ଆହୁରି ରୁଦ୍ଧିମନ୍ତ କରିଥିଲା । ଏ ସମ୍ପର୍କରେ ଆୟୋଜିତ ଏକ ବିଶେଷ ସଭାରେ ଗାନ୍ଧୀଜୀଙ୍କ ଜୀବନ ଦର୍ଶନ ଏବଂ ବର୍ତମାନର ପରିପ୍ରେକ୍ଷୀରେ ଏହାର ଉପଯୋଗିତା ଉପରେ ଆଲୋଚନା ହେବା ସଙ୍ଗେ ସଙ୍ଗେ ବ୍ୟଙ୍ଗଚିତ୍ର ଶିଳ୍ପୀଙ୍କ ତୁଳୀରେ ଏହାର ନିଛକ ପ୍ରତିଫଳନକୁ ଭୂୟସୀ ପ୍ରଶଂସା କରାଯାଇଥିଲା ଏବଂ ଏକ ପ୍ରଦର୍ଶନୀ ପୁସ୍ତିକାର ଶୁଭ ଉନ୍ମୋଚନ ସମ୍ପନ୍ନ ହୋଇଥିଲା । ପରିଶେଷରେ, ଆବାହକ କାର୍ଟୁନିଷ୍ଟ ଫଅଜି ମୋର୍ସିଙ୍କ ଉଭୟ ଫେୟୋମ୍‌ ସ୍ଥିତ କେରିକେଚର୍‌ ମ୍ୟୁଜିୟମ ଏବଂ ଭାରତୀୟ ଦୂତାବାସ, କାଇରୋକୁ ଧନ୍ୟବାଦ ଦେବା ସହ ପ୍ରଦର୍ଶନୀଟି ଜନସାଧାରଣଙ୍କ ଦର୍ଶନାର୍ଥେ ଉନ୍ମୁକ୍ତ କରାଯାଇଥିଲା । ଏଠାରେ ଆହୁରି ସୂଚାଇ ଦିଆଯାଇପାରେ ଯେ, ଆୟୋଜକ ଶ୍ରୀ ମୋର୍ସି ଟେଲିଫୋନ ମାଧ୍ୟମରେ ଅଶ୍ୱିନୀ-ଅବନୀଙ୍କୁ ଏ ପ୍ରଦର୍ଶନୀର ସଫଳତା ସମ୍ପର୍କରେ ବିଶେଷ ଭାବରେ ଅବଗତ କରାଇଥିଲେ ।

Leave A Reply

Your email address will not be published.