ଛତ୍ରପୁର ଷ୍ଟାଡିୟମରେ ପାଣ୍ଡିୟାନଙ୍କ ବିମାନ ଅବତରଣକୁ ନେଇ ବିଜେପିର ପ୍ରତିବାଦ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୫-ଟି ସଚିବ ଭି.କେ. ପାଣ୍ଡିୟାନଙ୍କ ଛତ୍ରପୁର ଷ୍ଟାଡିୟମରେ ହେଲିକପ୍ଟରରୁ ଆଜି ଆପରାହ୍ଣରେ ଅବତରଣ କରିବେ । ବର୍ଣ୍ଣାଢ଼୍ୟ ଜନସମାବେଶରେ ଉଦ୍‌ବୋଧନ ଦେବେ । ଲୋକଙ୍କ ଅଭିଯୋଗ ଶୁଣିବେ । ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି ଏବଂ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ୫-ଟି ସଚିବ ଶ୍ରୀ ପାଣ୍ଡିୟାନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଭାଜପା ଆଞ୍ଚଳିକ ଶାଖା ତରଫରୁ ଦୃଢ଼ ବିରୋଧ କରାଯାଇଛି । ଏ ନେଇ ବିଜେପିର ଏକ ପ୍ରତିବାଦ ଶୋଭାଯାତ୍ରା ଶନିବାର ସନ୍ଧ୍ୟାରେ ସହର ପରିକ୍ରମଣ ହୋଇଥିଲା । ଭାରତୀୟ ଜନତା ପାର୍ଟି ଛତ୍ରପୁର ଆଞ୍ଚଳିକ ଶାଖା ତରଫରୁ ଶନିବାର ସନ୍ଧ୍ୟାରେ ବାଇକ ସୋ-ରାଲି, ଦଳୀୟ ପତାକା ସହ ପ୍ଲା-କାର୍ଡ ଦେଖାଇ ସ୍ଲୋଗାନ, ନାରାବାଜି ଦେଇ ପ୍ରତିବାଦ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ସହରର ବିଭିନ୍ନ ଛକ ଜାଗାମାନଙ୍କରେ ଭାଜପା ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ ସହ ଲୱେର- ବସଷ୍ଟାଣ୍ଡରେ ପଥପ୍ରାନ୍ତ ସଭା କରିଛି । ଶାସକ ବିଜେଡ଼ିର କରାମତିକୁ ନେଇ ଭାଜପା ତୀବ୍ର ନିନ୍ଦାବାଣୀ ଶୁଣାଇଛି । ଗଞ୍ଜାମ ଜିଲ୍ଲାରେ ଉନ୍ନୟନ ଦିଗରେ କିଛି ଅଗ୍ରଗତି କରିନାହିଁ ବୋଲି ବିଜେପି ବଖାଣିଛି । ସୂତାକଳ, ଲୁଗାକଳ ନ ବସାଇ ଟାଟା ଷ୍ଟିଲ ପ୍ଲାଣ୍ଟକୁ ଜମି ଶାଗ ମାଛ ଦରରେ ବିକି ଦେଇଛି । ଗଞ୍ଜାମ ଜିଲ୍ଲାକୁ ଶିଳ୍ପାୟନ କରିବା ବହାଦୁରୀ ନେଇ ପ୍ରତିଥର ଭୋଟ ପାଉଛି । ୨୫ବର୍ଷ ମଧ୍ୟରେ ଶିଳ୍ପାୟନରେ କୌଣସି ପ୍ରଗତି ଆସି ନାହିଁ । ତେଣୁ ଗଞ୍ଜାମରୁ ଦାଦନ ଶ୍ରମିକ ହଟୁ ନାହିଁ । ଛତ୍ରପୁର ସହର ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ନେଇ ଭାଜପା କଟୁ-ସମାଲୋଚନା କରିଛନ୍ତି । ୫-ଟି ସଚିବ ଭି. କେ. ପାଣ୍ଡିୟାନଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ କାର୍ଯ୍ୟକ୍ରମ ଏକ ଅସାମ୍ବିଧାନିକ ପ୍ରଥା ବୋଲି ଗଣନା କରି ତାହାର ଦୃଢ଼ ବିରୋଧ କରିଛନ୍ତି । ୫-ଟି ସଚିବଙ୍କ ନୀତିରେ ଯାହା ଗଣତାନ୍ତ୍ରିକ ପଦ୍ଧତିରେ ବିଘ୍ନତାକୁ ଘୋର ନିନ୍ଦା କରିଛି । ଶାସକ ବିଜେଡ଼ି ଦଳକୁ ଭାଜପା କଡ଼ା ସମାଲୋଚନା କରିଛି । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ସମସ୍ତ ଭିତ୍ତିଭୂମି ଥିବା ସତ୍ତ୍ୱେ ଛତ୍ରପୁର ସହରକୁ ମ୍ୟୁନିସିପାଲଟିର ମାନ୍ୟତା ମିଳିନି । ଛତ୍ରପୁର ସହରର ଉନ୍ନୟନ ଦିଗରେ ଠପ୍‌ ହୋଇ ରହିଛି । ଆଦ୍ୟବଧି ଛତ୍ରପୁର ସହରକୁ ଅଣଦେଖା ଓ ଅବହେଳା ପ୍ରଦର୍ଶନ କରାଯାଉଛି ବୋଲି ଅଭିଯୋଗ ହୋଇଛି । ଛତ୍ରପୁର ସହରର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ବାଣିଜ୍ୟ ପ୍ରତିଷ୍ଠାନ ବ୍ୟବସ୍ଥାରେ ଘୋର ଅବନତି ଦେଖାଦେଇଛି ବୋଲି ଦୃଢ଼ତାର ସହ ଭାଜପା ଅଭିଯୋଗ କରିଛି । ଛତ୍ରପୁରସ୍ଥିତ ସବଡିଭିଜନ ହସ୍ପିଟାଲକୁ ଜିଲ୍ଲା ହସପିଟାଲର ମାନ୍ୟତା ଦିଆଯିବାକୁ ଦାବୀ ହୋଇଛି । ତା’ ସାଂଗକୁ ଏହି ହସ୍ପିଟାଲର ଦୁରାବସ୍ଥା ତଥା ଡାକ୍ତରୀ ପଦବୀ ତୁରନ୍ତ ପୂରଣ କରିବା, ବିଭିନ୍ନ ବିଭାଗ ଖୋଲିବା ପାଇଁ ଭାଜପା ଦାବୀ କରିଛି । ୫-ଟି ସଚିବ ଭି. କେ. ପାଣ୍ଡିୟାନଙ୍କ ବିଭିନ୍ନ ସ୍ଥାନକୁ ହେଲିକ୍ୟାପ୍ଟର ଗସ୍ତ ଫଳରେ ରାଜକୋଷରୁ ପ୍ରାୟତଃ ତିନିଶହ କୋଟି ଟଙ୍କା ଖର୍ଚ୍ଚ କରିବା, ଜନସାଧାରଣଙ୍କ ଅର୍ଥକୁ ଧୂଳିସାତ କରିବା ଏକ ଅଗଣତାନ୍ତ୍ରିକ ପ୍ରଥା ବୋଲି ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର, ଜିଲ୍ଲା ଲିଗାଲସେଲ୍ ଅଧ୍ୟକ୍ଷ ପ୍ରଦୀପ କୁମାର ପାଢୀ, ଡ଼ା.ସୁବାଷ ସାହୁ, କେ.ଚନ୍ଦ୍ରଶେଖର ରେଡ୍ଡୀ, ଡ଼ି.ସୁରେଶ ରେଡ୍ଡୀ, ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରମୁଖଙ୍କ ନେତ୍ତୃତ୍ୱରେ ଶତାଧିକ ବିଜେପି ଦଳୀୟନେତା ଓ କର୍ମୀ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ରାଜ୍ୟସରକାରଙ୍କୁ କଟୁ-ସମାଲୋଚନା ସ୍ୱରୂପ ବିଭିନ୍ନ ନାରା ବାଜି ଦେଇଥିଲେ ।

Leave A Reply

Your email address will not be published.