ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ମହିଳା ପିଏସ୍ଆଇ ଗତ ବୁଧବାର ବିଳମ୍ଵିତ ରାତିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଇଁତଲା ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ମହିଳା ପିଏସ୍ଆଇ ଜଣକ କାଜଲ ବାଗ (୨୫) ଘର ଭୂବାନୀପାଟଣା ବୋଲି ଜଣାପଡିଛି । ସୂଚନାନୁଯାୟୀ, ଗତ ବୁଧବାର ବିଳମ୍ବିତ ରାତିରେ କାଜଲ ପୋଲିସ ପେଟ୍ରୋଲିଙ୍ଗ କାର୍ଯ୍ୟ ସାରି ସାଢେ ୧୨ଟାରେ ଫେରି ନିଜ ସଇଁତଳା ସ୍ଥିତ ଏକ ଭଡ଼ା ଘରକୁ ଯାଇଥିଲେ । ଏହାର କିଛି ସମୟରେ ପରେ ମଶାମରା ବିଷ (ଲିକ୍ୟୁଇଟ୍) ପିଇଥିବା ନେଇ ସ୍ଥାନୀୟ ପୋଲିସ କର୍ମଚାରୀ ଖବର ପାଇ ଘରୁ ଉଦ୍ଧାର କରି ସଇଁତଲା ଡାକ୍ତରଖାନା ନେଇଥିଲେ । ସେଠାରେ ଓପିଡ଼ି ନଂ ୪୪୩୦ରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ସାରି ରାତ୍ରି ସାଢେ ୧ଟାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପୂର୍ବରୁ ସେ ବଲାଙ୍ଗିର ଟାଉନ ଥାନାରେ କାମ କରୁଥିବା ବେଳେ କିଛିଦିନ ହେବ ସଇଁତଳା ଥାନାକୁ ପୋଲିସ ପିଏସ୍ଆଇ ଟ୍ରେନିଙ୍ଗ୍ ପାଇଁ ଆସିଥିଲେ । ଏଭଳି ନିଷ୍ପତ୍ତି ସେ କ’ଣ ପାଇଁ ନେଲେ ତାହାକୁ ନେଇ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଲିସ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ପଦାକୁ ଆଣିବାକୁ ସାଧାରଣରେ ଦାବୀ ହୋଇଛି ।