jayashree

ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସର୍କିଟ-ହାଉସରେ ଭେଟିଲେ ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତା ଦିବସ ଅବସରରେ ଆମନ୍ତ୍ରିତ ମାନ୍ୟବର ଜଙ୍ଗଲ ଓ ପରିବେଶ, ପଞ୍ଚାୟତରାଜ ଓ ପାନୀୟ ଜଳ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ମନ୍ତ୍ରୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କର୍ମୀମାନେ ଭେଟି ନିଜର ବିଭିନ୍ନ ଦାବୀ ଜଣାଇଛନ୍ତି । ପ୍ରକାଶ ଥାଉକି, ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ମହକୁମା ଛତ୍ରପୁର ଜିଲ୍ଲାସ୍ତରୀୟ ପରେଡ଼ ଉତ୍ସବକୁ ଆମନ୍ତ୍ରିତ ମୁଖ୍ୟଅତିଥି ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭେଟି ବିଭିନ୍ନ ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ ନିୟୋଜିତ ଠିକା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା ମୁଖ୍ୟ ଦାବୀ ଉପସ୍ଥାପନ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ ଅନୁରୋଧ କରିଛନ୍ତି । ପ୍ରାୟ ୧୮ ବର୍ଷ ହେଲା ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀମାନେ ବିଭିନ୍ନ ବିଭାଗରେ ଅସ୍ଥାୟୀ ଭାବେ ନିୟୋଜିତ ଅଛନ୍ତି । ସେମାନେ ଅତି ଦୟନୀୟ ପରିସ୍ଥିତିରେ କାର୍ଯ୍ୟ କରି ଆସୁଛନ୍ତି । କୋରାନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ସଂଗ୍ରାମ ସ୍ୱରୂପ କାମ କରି ବହୁତ ଖ୍ୟାତି ଅର୍ଜନ କରିଛନ୍ତି । ଏପରିକି ଅନେକ କାର୍ଯ୍ୟ ତଥା ମା’ ଓ ଶିଶୁଙ୍କୁ ଟୀକାକରଣ, କୋଭିଡ ସମୟରେ ଟୀକାକରଣ ଓ ଅନ୍ୟାନ୍ୟ ଜାତୀୟ ଭିର୍ତ୍ତିକ କାର୍ଯ୍ୟକ୍ରମରେ ଏହି ସ୍ୱାସ୍ଥ୍ୟ କର୍ମୀମାନେ ସକ୍ରିୟ ଅଂଶଗ୍ରହଣ କରିଆସିଛନ୍ତି । ସେହି ଠିକା କର୍ମଚାରୀଙ୍କୁ ସ୍ଥାୟୀକରଣ କରିବା ନିହାତି ଜରୁରୀ ବୋଲି ମନ୍ତ୍ରୀଙ୍କୁ ବୁଝାଇ ଅବଗତ କରାଇଥିଲେ । ମନ୍ତ୍ରୀ ଶ୍ରୀ ଅମାତ ଏହାକୁ ହୃଦବୋଧ କରିଛନ୍ତି ଏବଂ ଏ ସମ୍ପର୍କରେ ସେ ସ୍ୱାସ୍ଥ୍ୟ ବିଭାଗୀୟ ମନ୍ତ୍ରୀ, ସଚିବ, କମିଶନରଙ୍କୁ ନିଶ୍ଚିତ ଜଣାଇବେ ବୋଲି ପ୍ରତିଶୃତି ଦେଇଛନ୍ତି । ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ଏବଂ ଓଡ଼ିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ମିଳିତ କ୍ରମେ ଏହି ଦାବୀ ଉପସ୍ଥାପନ କରାଯାଇଥିବା କୁହାଯାଏ । ଓଡ଼ିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ସଭାପତି ଗଣେଶ ନାହାକ, ଉପ-ସଭାପତି ଶୁଭେନ୍ଦୁ କୁମାର ଦାଶ ଓ ଅନ୍ୟାନ୍ୟ ସଦସ୍ୟ ତଥା ବିଦେଶୀ ଜେନା, ପ୍ରଭାତ କୁମାର ସାହୁ, ଗତିକୃଷ୍ଣ ପଣ୍ଡା ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଆସି ମନ୍ତ୍ରୀଙ୍କୁ ଛତ୍ରପୁରସ୍ଥ ସର୍କିଟ-ହାଉସରେ ଭେଟି ଉକ୍ତ ଦାବୀ ଜଣାଇଥିଲେ । ପାଖରେ ସ୍ଥାନୀୟ ବିଧାୟକ (ଛତ୍ରପୁର) ସୁବାଷ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.