ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟିର ବୈଠକ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଡିଆରଡିଏ ସମ୍ମିଳନୀ କକ୍ଷରେ ରବି ଋତୁ ପାଇଁ ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟିର ବୈଠକ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲା ରେ ରବି ଋତୁରେ ସମୁଦାୟ ୧୩୭୮୮୩ ହେକ୍ଟର ଚାଷ ଜମିରେ ବିଭିନ୍ନ କିସମର ଚାଷ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ସେଥିମଧ୍ୟରୁ ଜିଲ୍ଲାରେ ଜଳସେଚିତ ୭୯୭୯୯ ହେକ୍ଟର ଚାଷ ଜମିରୁ ୭୯୦୬୦ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ସ୍ଥିର ହୋଇଥିଲା । ସେହିପରି ଚାଷୀଙ୍କୁ ଆୟର ସ୍ରୋତ ଦ୍ଵିଗୁଣିତ କରିବା ପାଇଁ ତଥା ଫସଲ ଅମଳ ଭଲ ହେବା ନେଇ ଉତ୍ତମ ନୀତି ପ୍ରସ୍ତୁତି ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । କୃଷି ଏବଂ ଏହାର ପାରିପାର୍ଶ୍ବିକ ବିଭାଗଗୁଡ଼ିକୁ ନେଇ ପାରସ୍ପରିକ ସହଯୋଗରେ ଏକ ଉତ୍ତମ କାର୍ୟ୍ୟ ଯୋଜନା ହିଁ ଚାଷୀଙ୍କୁ ଲାଭବାନ କରିପାରିବ ବୋଲି କହିଥିଲେ । ପ୍ରତ୍ୟେକ କୃଷି ଜାତ ଦ୍ରବ୍ୟର ଉତ୍ତମ ବଜାର ବ୍ୟବସ୍ଥା ଓ ଗୋଦାମ ଘର ଉପରେ ଗୁରୁତ୍ୱାରୋପ କରିଥିଲେ । ମୃତ୍ତିକା ପରୀକ୍ଷା କରାଯାଇ ସାରର ପ୍ରୟୋଗ, ଧାଡ଼ି ଏହା, ଧାଡ଼ି ବୁଣା, ପର୍ୟ୍ୟାୟ ଚାଷ ଉପରେ ପ୍ରାଧାନ୍ୟ ଦେବାକୁ ଆଲୋଚନା ହୋଇଥିଲା । ଏହି କାର୍ୟ୍ୟ ଯୋଜନାରେ ଜୈବିକ ଚାଷ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରୋତ୍ସାହନ ମଧ୍ୟ ରହିଛି ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ସେହିପରି ଜିଲ୍ଲା କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ ମିଠା ମକ୍କା, ପନିପରିବା, ଡାଲି ଜାତୀୟ ଶସ୍ୟ, ତୈଳ ବୀଜ, ମାଣ୍ଡିଆ ଆଦି ଅଣଧାନ କରି ବାକୁ ଗୁରୁତ୍ୱାରୋପ କରିଥିଲେ । ଏବେ ଚାଷ ଆଧୁନିକୀକରଣ ଦ୍ବାରା କରାଗଲେ ଅଧିକ ଅମଳ ସହ ଚାଷୀ ଲାଭନ୍ବିତ ହୋଇପାରିବ, ଏଥିପାଇଁ ସରକାରୀ ପ୍ରୋତ୍ସାହନ ରହିଛି ବୋଲି ସେ କହିଥିଲେ । ବୈଠକରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ଜିଲ୍ଲାର ସମସ୍ତ କୃଷି ଅଧିକାରୀ ଏବଂ ସ୍ବେଚ୍ଛାସେବୀ ସଂଗଠନ ଗୁଡ଼ିକର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.